Categories: ଅନୁଗୋଳ

କାମରେ ଆସୁନି ଟ୍ରାଫିକ୍‌ ସିଗ୍‌ନାଲ

ବଅଁରପାଳ, ୧୪ା୧୨(ଡି.ଏନ.ଏ.) – ଅନୁଗୋଳରେ ଦିନକୁ ଦିନ ଟ୍ରାଫିକ୍‌ ସମସ୍ୟା ବୃଦ୍ଧି ଓ ଏଥିଜନିତ ଦୁର୍ଘଟଣା ହାର ବଢୁଥିଲେ ହେଁ ଏହାର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହେଉଛି। ନାଲ୍‌କୋ ସ୍ମେଲଟର ମେନ୍‌ ଗେଟ ଛକଠାରେ ଟ୍ରାଫିକ୍‌ ଅବ୍ୟବସ୍ଥା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଦୀର୍ଘ ୧ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଏଠାରେ ଥିବା ଟ୍ରାଫିକ ସିଗ୍‌ନାଲ କାମ କରୁ ନ ଥିଲେ ହେଁ ଏହାର ମରାମତି କରାଯାଉନି। ଫଳରେ ଟ୍ରାଫିକ୍‌ ନିୟନ୍ତ୍ରଣ କରିବା କଷ୍ଟକର ହେଉଛି। ୫୫ ନଂ ଜାତୀୟ ରାଜପଥ ନାଲ୍‌କୋ ସ୍ମେଲଟର ଗେଟ୍‌ ଛକଠାରେ ଭିଡ଼ ନିୟନ୍ତ୍ରଣ ପାଇଁ ସୋଲାର ଟ୍ରାଫିକ୍‌ ଲାଇଟର ବ୍ୟବସ୍ଥା ହୋଇଥିଲା। ହେଲେ ଏହା ପ୍ରାୟ ବର୍ଷେ ହେଲା ଅଚଳ ହୋଇପଡିଛି। ଛକଠାରେ ଟ୍ରାଫିକ୍‌ ପୋଲିସ ନିୟୋଜିତ କରାଯାଇ ନ ଥିବାବେଳେ ୨ ଜଣ ହୋମଗାର୍ଡଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ରାସ୍ତା ମଧ୍ୟ ଭାଗରେ ଏକ ଡିଭାଇଡର ଅସୁରକ୍ଷିତ ଭାବେ ଥିବାରୁ ସେଠାରେ ଭିଡ଼ ନିୟନ୍ତ୍ରଣ କଷ୍ଟକର ହେବା ସହ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ପ୍ରାୟ ୬ ବର୍ଷ ପୂର୍ବରୁ ନାଲ୍‌କୋ ତରଫରୁ ଉକ୍ତ ଟ୍ରାଫିକ ଲାଇଟ ବ୍ୟବସ୍ଥା କରାଯାଇଥିଲା। ଏହା ଭିତରେ ଅନେକ ଥର ଏହା ଖରାପ ହୋଇପଡୁଛି। ରକ୍ଷଣାବେକ୍ଷଣ ଓ ମରାମତି ଦାୟିତ୍ୱ ନେଇଥିବା ସଂସ୍ଥା ଏଥିପ୍ରତି ଦୃଷ୍ଟି ଦେଉ ନ ଥିବାରୁ ଏପରି ଅସୁବିଧା ଉପୁଜୁଥିବା ଅଭିଯୋଗ ହେଉଛି। ଏହି ରାସ୍ତା ଦେଇ ପ୍ରତିଦିନ ବହୁ ସଂଖ୍ୟାରେ ଶ୍ରମିକ, ଛାତ୍ରୀଛାତ୍ର ଯିବାଆସିବା କରୁଥିବାରୁ ସୁରକ୍ଷିତ ଯାତାୟାତ ପାଇଁ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି ହୋଇଛି।
ଏ ସମ୍ପର୍କରେ ନେସ ସଙ୍ଗଠନର ସାଧାରଣ ସମ୍ପାଦକ ନିର୍ମଳ ସାମଲ, ମେନଗେଟ ଛକର ବ୍ୟବସାୟୀ ସନ୍ଦୀପ ମିଶ୍ର କୁହନ୍ତି, ନାଲ୍‌କୋ ପକ୍ଷରୁ ଟ୍ରାଫିକ ସିଗନାଲ ବ୍ୟବସ୍ଥା କରାଯାଇଥିଲା। ହେଲେ ରକ୍ଷଣାବେକ୍ଷଣ ଓ ମରାମତି ଅଭାବରୁ ଏହା ମାସେ କାମ କଲେ ବର୍ଷେ ଅଚଳ ହୋଇପଡୁଛି। ଏ ନେଇ ନାଲ୍‌କୋ ଥାନା ଆଇଆଇସି ସରୋଜିନୀ ସାମ୍ବଡା କହିଛନ୍ତି, ଟ୍ରାଫିକ ସିଗନାଲ ଫେଲ୍‌ ହେବା ଯୋଗୁ ସମସ୍ୟା ଦେଖାଦେଉଛି। ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ସଂସ୍ଥା ମରାମତି କଲେ ଅସୁବିଧା ଦୂର ହୋଇପାରନ୍ତା।