କାମରେ ଆସୁନି କୋଟିଏ ଟଙ୍କାର ପ୍ରକଳ୍ପ

ଖଇରା,୨୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ମହତୀପୁର ପାନୀୟ ଜଳ ପ୍ରକଳ୍ପ ୧କୋଟି ୧୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ସରିବାର ଦେଢ଼ ବର୍ଷ ବିତିଲାଣି । ଲୋକଙ୍କୁ ଏ ପର୍ଯ୍ୟନ୍ତ ପାଣି ମୁନ୍ଦାଏ ମିଳିଲାନି। ସୋର-କୁପାରୀ ରାଜ୍ୟ ରାଜପଥ କଡ଼ରେ ଡ୍ରେନ ନିର୍ମାଣ ବେଳେ ମାଟି ତଳେ ବିଛାଯାଇଥିବା ପାଇପ ପ୍ରତି ଦୃଷ୍ଟି ଦିଆ ନ ଯିବା କାରଣରୁ ବହୁ ସ୍ଥାନରେ ଏହା ନଷ୍ଟ ହୋଇଛି। ଏଣୁ ପ୍ରକଳ୍ପରୁ ପରୀକ୍ଷାମୂଳକ ଭାବେ ପାଣି ଉଠାଯିବା ବେଳେ ପାଇପ ନଷ୍ଟ ହୋଇଥିବା ଅନେକ ସ୍ଥାନରେ ପାଣି ବୋହି ଯାଇଥିଲା । ଏଥିଲାଗି ଲୋକଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି। ଉକ୍ତ ପ୍ରକଳ୍ପକୁ ଶୀଘ୍ର କାର୍ଯ୍ୟକ୍ଷମ କରା ନ ଗଲେ ୫ଖଣ୍ଡ ଗ୍ରାମର ବାସିନ୍ଦା ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଉଲ୍ଲେଖନୀୟ ଯେ, ଅଞ୍ଚଳବାସୀଙ୍କ ବହୁ ଦାବି ପରେ ସାଢ଼େ ୩ବର୍ଷ ତଳେ ମହତୀପୁର ମଧୁହରି ଉଚ୍ଚବିଦ୍ୟାପୀଠ ପଛ ପଟେ ଥିବା ଏକ ସ୍ଥାନରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୨ଟି ପମ୍ପ ହାଉସ ସାଙ୍ଗକୁ ୧ଲକ୍ଷ ଲିଟର ସଂରକ୍ଷଣ କ୍ଷମତା ବିଶିଷ୍ଟ ଟାଙ୍କି ସ୍ଥାପନ କରାଯାଇଥିଲା । ବର୍ଷେ ଭିତରେ କାମ ସାରିବା ପାଇଁ ଚୁକ୍ତି ହୋଇଥିଲେ ମଧ୍ୟ ପାଣ୍ଠି ଅଭାବ ଆଳରେ ପ୍ରାୟ ୨ବର୍ଷ ପରେ କାମ ଶେଷ ହୋଇଥିଲା। ଜଳକଷ୍ଟର ଶିକାର ହେଇଥିବା ମହତୀପୁର ସମେତ ପିତାପାଣିଆ, କଲରାପାଳ, ଗୋପାଳବେଡା,ବୀଣାପୁର ଇତ୍ୟାଦି ଗ୍ରାମର ବାସିନ୍ଦାମାନେ ପାଇପ ପାଣି ପାଇବାକୁ ଚାତକପରି ଚାହିଁ ରହିଥିଲେ । ହେଲେ ପରୀକ୍ଷାମୂଳକ ପାଣି ଉଠାଯିବାବେଳେ ଅନେକ ସ୍ଥାନରେ ପାଇପ ନଷ୍ଟ ହୋଇଯାଇଥିବା ଯୋଗୁ ଲୋକଙ୍କ ଘରକୁ ପାଣି ଆସି ନ ଥିଲା । ସୋର-କୁପାରୀ ରାଜ୍ୟ ରାଜପଥ କଡ଼ରେ ଡ୍ରେନ ନିର୍ମାଣ ବେଳେ ମାଟି ତଳେ ବିଛାଯାଇଥିବା ପାଇପ ନଷ୍ଟ ହୋଇଥିବା କୁହାଯାଇଥିଲା । ଏ ନେଇ ଉଭୟ ବିଭାଗ ଏବେ ବି ପରସ୍ପରକୁ ଦୋଷ ଦେଉଛନ୍ତି। ପାଇପ ମରାମତି କରାଯାଉ ନ ଥିବାରୁ ପ୍ରକଳ୍ପ ଅକାମୀ ହୋଇ ପଡି ରହିିଛି। ଫଳରେ ପ୍ରକଳ୍ପ ନାଁରେ ସରକାରୀ ଅର୍ଥ ଅପଚୟ ହୋଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଗ୍ରାମ୍ୟ ପାନୀୟ ଜଳ ଓ ପରିମଳ ବିଭାଗର ଜଣେ ସହକାରୀ ଯନ୍ତ୍ରୀଙ୍କୁ ପଚାରିବାରୁ କହିଛନ୍ତି, ପାଇପ ନଷ୍ଟ ସମ୍ପର୍କରେ ପୂର୍ତ୍ତ ବିଭାଗକୁ ଅବଗତ କରାଯାଇଛି। ଏହି ଖର୍ଚ୍ଚ ଭରଣା ପରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରିବ । ଏ ସମ୍ପର୍କରେ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ନରେଶ ସିଂଙ୍କୁ ପଚାରିବାରୁ ପ୍ରକଳ୍ପ ପ୍ରତିଷ୍ଠା ସମୟରେ ତାଙ୍କ ବିଭାଗ ସହ କେହି ଆଲୋଚନା କରୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି କହିଛନ୍ତି ।