କଶ୍ମୀର ଯିବାକୁ ହେଲେ ସବୁ ବ୍ୟବସ୍ଥା କରିଦେବେ ମୋଦି

ମୁମ୍ବାଇ,୧୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ମହାରାଷ୍ଟ୍ରରେ ଏକ ନିର୍ବାଚନି ସଭାରେ ଉଦ୍‌ବୋଧନ ଦେବା ସମୟରେ ପୁଣି ଥରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ଏଥର ସେ କଂଗ୍ରେସ ଓ ଏନ୍‌ସିପି ଉପରେ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ପ୍ରସଙ୍ଗ ଇତିହାସରେ ବର୍ଣ୍ଣନା କରାଯିବ। ଆଉ ସେତେବେଳେ ଦେଶ ହିତରେ ଯେଉଁ ନିର୍ଣ୍ଣୟ ନିଆଯାଉଥିଲା ତାକୁ ବିରୋଧ କରୁଥିବା ବ୍ୟକ୍ତି ଓ ତାଙ୍କ ମନ୍ତବ୍ୟ ମଧ୍ୟ ନିଶ୍ଚିତ ଲେଖାଯିବ। ସେ ତାଙ୍କ ଉଦ୍‌ବୋଧନରେ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରିଛନ୍ତି। କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ନେଇ ଜଣେ କଂଗ୍ରେସ ନେତା କହିଥିଲେ ଏହା ହେଲେ ଦେଶ ନଷ୍ଟ ହୋଇ ଯିବ। କାହିଁ ୩ ମାସ ହେବ ଅନୁଚ୍ଛେଦ ୩୭୦ ହଟାଇ ଦିଆଗଲାଣି କେଉଁଠି ଦେଶ ନଷ୍ଟ ହୋଇଯାଇଛି ବୋଲି ମୋଦି କଂଗ୍ରେସ ନେତାଙ୍କୁ ପ୍ରଶ୍ନ କରିଛନ୍ତି। ଆହୁରି ମଧ୍ୟ ଅନ୍ୟ ଜଣେ କଂଗ୍ରେସ ନେତା କହିଥିଲେ ଆମେ କଶ୍ମୀରକୁ ହରାଇବୁ। ହେଲେ ତାହା କ’ଣ ସତରେ ଫଳବତୀ ହୋଇଛି ବୋଲି ମୋଦି କଂଗ୍ରେସ ନେତାଙ୍କୁ ପ୍ରଶ୍ନ କରିଛନ୍ତି। ଏହାକୁ ଦେଖିବା ପରେ ଯଦି କେହି କଂଗ୍ରେସ ନେତା କଶ୍ମୀର ଯିବାକୁ ଚାହୁଁଛନ୍ତି ତେବେ ମୋଦି ସମସ୍ତ ବ୍ୟବସ୍ଥା କରିଦେବେ ବୋଲି କହିଛନ୍ତି।

Share