କଶ୍ମୀର ଉପରେ ଏକପାଖିଆ ରିପୋର୍ଟିଂ କରୁଛି ଆମେରିକା ଗଣମାଧ୍ୟମ: ଭାରତ

ୱାଶିଂଟନ,୧୧।୯: ଭାରତ ସରକାରଙ୍କ ଦ୍ୱାରା ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଆମେରିକାର ଗଣମାଧ୍ୟମ କଶ୍ମୀର ଉପରେ ଏକପାଖିଆ ରିପୋର୍ଟିଂ କରୁଛି ବୋଲି ଭାରତ ଅଭିଯୋଗ କରିଛି। ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ହର୍ଷବର୍ଦ୍ଧନ ଶୃଙ୍ଗଲା କହିଛନ୍ତି, ଆମେରିକାର କିଛି ଉଦାରବାଦୀ ଗଣମାଧ୍ୟମ ଭାରତ ବିରୋଧରେ ଯାଇ କଶ୍ମୀର ପ୍ରସଙ୍ଗରେ ନିଜର ଧ୍ୟାନ କେନ୍ଦ୍ରୀଭୂତ କରୁଛନ୍ତି। ଅନୁଚ୍ଛେଦ ୩୭୦ ଯୋଗୁ ଜମ୍ମୁ-କଶ୍ମୀରରେ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ଅର୍ଥବ୍ୟବସ୍ଥା ଉପରେ ବହୁ ପ୍ରଭାବ ପକାଇଥିଲା। ଏଥିସହ ଭାରତକୁ ପାକିସ୍ତାନୀ ଆତଙ୍କବାଦୀ ଅନୁପ୍ରବେଶରେ ମଧ୍ୟ ସହାୟକ ହୋଇଥିଲା। ବର୍ତ୍ତମାନ କଶ୍ମୀରରେ ଆସିଥିବା ପରିବର୍ତ୍ତନ ସେଠାକର ବାସିନ୍ଦାଙ୍କ ସପକ୍ଷରେ ରହିଛି। ଏହା କଶ୍ମୀରବାସୀଙ୍କୁ ସେମାନଙ୍କ ଅଧିକାର ପ୍ରଦାନ କରିଛି। ଯେଉଁଥିରୁ ସେମାନେ ବଞ୍ଚିତ ହେଉଥିଲେ ବୋଲି ହର୍ଷବର୍ଦ୍ଧନ କହିଛନ୍ତି। ଅପରପକ୍ଷରେ ଆମେରିକାରେ କଶ୍ମୀର ପଣ୍ଡିତମାନେ ଘାଟିରେ ଘଟିଥିବା ଘଟଣା ବିଷୟରେ ଏକପାଖିଆ ଖବର ପ୍ରଚାର କରିବା ବିରୋଧରେ ‘ଦ ଓ୍ବାଶିଂଟନ ପୋଷ୍ଟ’ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ବୋଲି ସୂଚନା ରହିଛି।

Share