କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟର ମାନ୍ୟତା

ଭବାନୀପାଟଣା,୨୦।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ବିଶ୍ୱବିଦ୍ୟାଳୟକୁ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି । ଏଣିକି କଳାହାଣ୍ଡି ଜିଲାର ଛାତ୍ରୀଛାତ୍ର ସମ୍ବଲପୁର ନ ଯାଇ ଜିଲାରେ ଉଚ୍ଚ ଶିକ୍ଷା ଓ ଗବେଷଣାର ସୁବିଧା ପାଇପାରିବେ । ଭବାନୀପାଟଣାଠାରେ ଅବସ୍ଥିତ ଜିଲାର ଏକମାତ୍ର ସ୍ବୟଂ ଶାସିତ ମହାବିଦ୍ୟାଳୟ ୧୯୬୦ ମସିହାରେ ସ୍ଥାପିତ ହୋଇଥିଲାା ଏହି ମହାବିଦ୍ୟାଳୟ ବିଭିନ୍ନ ସମସ୍ୟାରେ ଗତି କରୁଥିବା ବେଳେ ଏହାକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଗି ୧୯୯୦ ମସିହାରୁ ଜିଲାବାସୀଙ୍କ ପକ୍ଷରୁ ଦାବି ହୋଇଆସୁଥିଲା। ଗତ ବର୍ଷ ଏହି ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିଲା ତେବେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା ହୋଇଛି । କଳାହାଣ୍ଡି ବିଶ୍ୱବିଦ୍ୟାଳୟକୁ ଅନୁବନ୍ଧିତ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଛି ।
ସୂଚନାଯୋଗ୍ୟ, ପୂର୍ବରୁ କଳାହାଣ୍ଡି ଓ ନୂଆପଡା ଜିଲାର ଛାତ୍ରୀଛାତ୍ର ଉଚ୍ଚ ଶିକ୍ଷା ପାଇଁ ହେଉ କିମ୍ବା ଅନ୍ୟାନ୍ୟ ସାର୍ଟିଫିକେଟ କାଯର୍‌ୟ ହେଉ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଉପରେ ନିର୍ଭର କରୁଥିଲେ । ମାତ୍ର ବର୍ତ୍ତମାନ କଳାହାଣ୍ଡି ଓ ନୂଆପଡା ଜିଲାର ୫୦ ମହାବିଦ୍ୟାଳୟକୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଅଧୀନରେ ସାମିଲ କରାଯାଇଛି ।