Categories: ବାଣିଜ୍ୟ

କର୍ପୋରେଟ ଟିକସ ହ୍ରାସକୁ ଶିଳ୍ପ ବିଶେଷଜ୍ଞଙ୍କ ସ୍ବାଗତ

ଭୁବନେଶ୍ୱର,୭-୭(ବ୍ୟୁରୋ): ୨୦୧୯-୨୦ ଆର୍ଥତ୍କ ବର୍ଷ ବଜେଟରେ କର୍ପୋରେଟ ଟିକସ ହ୍ରାସ ଘୋଷଣାକୁ ଶିଳ୍ପ ବିଶେଷଜ୍ଞମାନେ ସ୍ବାଗତ ଜଣାଇଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକୁ ପୁଞ୍ଜି ଯୋଗାଣ, କ୍ଷୁଦ୍ର ବ୍ୟବସାୟୀଙ୍କ ଲାଗି ପେନଶନ ବ୍ୟବସ୍ଥା, ରିୟଲ ଇଷ୍ଟେଟ କ୍ଷେତ୍ର ଭଳି ଅନ୍ୟ କ୍ଷେତ୍ର ଲାଗି ନିଆ ଯାଇଥିବା ବିଭିନ୍ନ ଯୋଜନାକୁ ବିଶେଷଜ୍ଞମାନେ ପ୍ରଶଂସା କରିଛନ୍ତି। ଇଣ୍ଡିଆନ ଚାମ୍ବର୍ସ ଅଫ କମର୍ସ(ଆଇସିସି) ପକ୍ଷରୁ ଏଠାରେ ଅନୁଷ୍ଠିତ ବଜେଟ ପରବର୍ତ୍ତି ଆଲୋଚନାରେ ପରୋକ୍ଷ ତଥା ପ୍ରତ୍ୟକ୍ଷ ଟିକସ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପ ଶିଳ୍ପ ଏବଂ ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପ୍ରସଙ୍ଗ ସ୍ଥାନିତ ହୋଇଥିଲା। ବ୍ୟାଙ୍କଗୁଡିକ ଲାଗି ଗ୍ରହଣ କରାଯାଇଥିବା
ପୁଞ୍ଜିକରଣ ଯୋଜନା ସେମାନଙ୍କ ନଗଦ ଏବଂ ଋଣ ଯୋଗାଣ ସମସ୍ୟାକୁ ସମାଧାନ କରିପାରିବ ବୋଲି ବିଶେଷଜ୍ଞ ମାନେ କହିଛନ୍ତି। ଏହା ଦ୍ୱାରା ଅର୍ଥନୀତିରେ ବିକାଶ ସାଧନ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି। ବଜେଟରେ ଘୋଷଣା ଏମ୍‌ଏସ୍‌ଏମ୍‌ଇ,ଇ-ଯାନ, ଶ୍ରମ ସଂସ୍କାର ଏବଂ ରିୟଲ ଇଷ୍ଟେଟ କ୍ଷେତ୍ର ଲାଗି ଲାଭକାରି ହେବ। ଅପରପକ୍ଷରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ଲାଗୁ ପ୍ରସଙ୍ଗକୁ ବିଶେଷଜ୍ଞମାନେ ନାପସନ୍ଦ କରିଛନ୍ତି। ସେହିଭଳି ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ହୋଇ ନ ଥିବାରୁ ଏହା ଦେଶରେ ଚାହିଦା ବୃଦ୍ଧିକୁ ପ୍ରଭାବିତ କରିବ ବୋଲି ବୈଠକରେ ମତ ପ୍ରକାଶ ପାଇଛି। କାର୍ଯ୍ୟକ୍ରମରେ ଅର୍ଥ ଏବଂ ଟିକସ କମିଟିର ଆବାହକ ଏ.କେ.ସାବତ, କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ମେଣ୍ଟର ପ୍ରଦୀପ୍ତ ମହାନ୍ତି, ୟୁସିସିଆଇର ପୂର୍ବତନ ମହାନିର୍ଦ୍ଦେଶକ ରାଜେନ ପାଢୀ, ଆଇସିିସି ଓଡିଶା ପରିଷଦ ସହ ଅଧ୍ୟକ୍ଷ ଜେ.ବି ପାଣି ପ୍ରମୁଖ ଉପସ୍ଥିତ ଥିଲେ।

Share