Categories: ବାଣିଜ୍ୟ

କର୍ପୋରେଟ ଟିକସ ହ୍ରାସକୁ ଆଇଏମ୍‌ଏଫ୍‌ର ସମର୍ଥନ

ଓ୍ବାଶିଂଟନ,୨୦-୧୦: ଘରୋଇ ବଜାର ଲାଗି କର୍ପୋରେଟ ଟିକସ ହ୍ରାସ ଦିଗରେ ଭାରତ ସରକାର ନିକଟରେ ନେଇଥିବା ନିଷ୍ପତ୍ତିକୁ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଶୁକ୍ରବାର ସମର୍ଥନ ଜଣାଇଛି। ନିବେଶ ବଢାଇବା ଦିଗରେ ଏହା ସହାୟତା କରିବ ବୋଲି ଉକ୍ତ ଅନ୍ତର୍ଜାତୀୟ ଏଜେନ୍ସି ପ୍ରକାଶ କରିଛି। ବିତ୍ତିୟ ଧାରାକୁ ସଙ୍ଗଠିତ କରିବା ଏବଂ ଦୀର୍ଘମିଆଦୀ ସ୍ଥିରତା ଉପରେ ଏହା ଗୁରୁତ୍ୱାରୋପ କରିଛି। ବିତ୍ତୀୟ ପ୍ରସଙ୍ଗକୁ ନେଇ ଭାରତ ସତର୍କ ରହିବା ଆବଶ୍ୟକ। ନିବେଶ ଉପରେ ସକାରାତ୍ମକ ପ୍ରଭାବ ରହୁଥିବାରୁ କର୍ପୋରେଟ ଟିକସ ହ୍ରାସକୁ ସମର୍ଥନ ଜଣାଉଛୁ ବୋଲି ଆଇଏମ୍‌ଏଫ୍‌ ଏସିଆ ପାସିଫିକ ବିଭାଗ ନିର୍ଦ୍ଦେଶକ ଚାଙ୍ଗୟଙ୍ଗ ରେ କହିଛନ୍ତି। ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଗତ ଦୁଇ ତ୍ରୈମାସ ଧରି ଦେଶର ଜିଡିପି ଅଭିବୃଦ୍ଧି ହାର କମୁଛି। ଚଳିତ ଆର୍ଥତ୍କ ବର୍ଷ ଲାଗି ଅଭିବୃଦ୍ଧି ୬.୧% ଏବଂ ୨୦୨୦ରେ ୭% ରହିବା ନେଇ ଏହି ଅନ୍ତର୍ଜାତୀୟ ଏଜେନ୍ସି ଆଶାବାଦୀ ରହିଛି।
ରିଜର୍ଭ ବ୍ୟାଙ୍କର ରେପୋ ହ୍ରାସ ଏବଂ କର୍ପୋରେଟ ଟିକସ ହ୍ରାସ ପଦକ୍ଷେପ ନିବେଶ ଧାରା ଉପରେ ସକାରାତ୍ମକ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି। ଅପରପକ୍ଷରେ ଭାରତ ଅଣବ୍ୟାଙ୍କିଂ ବିତ୍ତ ପ୍ରତିଷ୍ଠାନ (ଏନ୍‌ବିଏଫ୍‌ସି) ସମସ୍ୟାକୁ ନଜରରେ ରଖୁ ବୋଲି ଏସିଆ ପାସିଫିକ ଉପନିର୍ଦ୍ଦେଶକ ଆନି ମାରି ଗଲଡେଓଲ୍ଫ କହିଛନ୍ତି। ଏନ୍‌ବିଏଫ୍‌ସି ଯେଭଳି ଋଣ ପ୍ରଦାନ କରିବାକୁ ସକ୍ଷମ ହେବେ ତାକୁ ମଧ୍ୟ ଧ୍ୟାନ ଦେବାକୁ ହେବ। ଭାରତ ବୃହତ୍‌ ପରିମାଣର ଋଣ କରୁଥିବାରୁ ବିତ୍ତୀୟ ଧାରାକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି। ଭାରତ ଏକ ସଂଘୀୟ ରାଷ୍ଟ୍ର ହୋଇଥିବାରୁ ଏ କ୍ଷେତ୍ରରେ ଅନେକ ଚ୍ୟାଲେଞ୍ଜ ରହିଛି। ରାଜ୍ୟଗୁଡିକ କ୍ଷେତ୍ରରେ ବିତ୍ତୀୟ ପରିଚାଳନାକୁ ଦୃଢୀଭୂତ କରିବାକୁ ଗଲଡେଓଲ୍ଫ ମତ ଦେଇଛନ୍ତି।

Share