କରୋନା ସ୍ଥିତି ସମୀକ୍ଷା କଲେ ନୋଡାଲ୍‌ ଅଧିକାରୀ

 

ରାୟଗଡ଼ା ଅଫିସ,୩ା୫: ରାଜ୍ୟ ସରକାରଙ୍କ ପକ୍ଷରୁ ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲା ନୋଡାଲ୍‌ ଅଧିକାରୀଭାବେ ନିଯୁକ୍ତ ଭି. ଭି ଯାଦବ ରବିବାର ରାୟଗଡ଼ା ଜିଲା ଗସ୍ତରେ ଆସି କରୋନା ମୁକାବିଲା ପାଇଁ ଜିଲାରେ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ପ୍ରଥମେ ସେ ରାୟଗଡ଼ା ବ୍ଲକ୍‌ ମାଲିଗାଁ, ବଡ଼ଆଲୁବାଡ଼ି ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଏବଂ ଜେକେପୁରସ୍ଥିତ ଇଏସ୍‌ଆଇ ହସ୍ପିଟାଲରେ ପ୍ରସ୍ତୁତ କୋଭିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ଏହି ସମୟରେ ଯାଦବଙ୍କ ସହ ରାୟଗଡ଼ା ଜିଲାପାଳ ପ୍ରମୋଦ କୁମାର ବେହେରା, ଡିଆରଡିଏ ପିଡି ଅମୃତ ଋତୁରାଜ, ଉପଜିଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ବିଡିଓ ରାଜେନ୍ଦ୍ର ମାଝି, ଅତିରିକ୍ତ ବିଡିଓ ନୃସିଂହ ଚରଣ ପଟ୍ଟନାୟକ ଉପସ୍ଥିତ ଥିଲେ। ପରେ ସ୍ଥାନୀୟ ଡିଆର୍‌ଡିଏ ସଦ୍‌ଭାବନା ସଭାଗୃହରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟତଃ କରୋନା ମୁକାବିଲା ନିମନ୍ତେ ନିଆଯାଇଥିବା ସମସ୍ତ ପଦକ୍ଷେପକୁ ଠିକ୍‌ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବାହାର ରାଜ୍ୟରୁ ଆସିବାକୁ ଥିବା ଶ୍ରମିକମାନେ ଯେପରି ରୋଜଗାରର ସୁଯୋଗ ପାଇବେ, ସେଥିପାଇଁ ଏମ୍‌ଜିଏନ୍‌ଆରଜିଏସ୍‌ ଅନ୍ତର୍ଗତ ଶ୍ରମ ଭିତ୍ତିକ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱାରୋପ କରିଥିଲେ। ବାହାର ରାଜ୍ୟରୁ ଆସିବାକୁ ଥିବା ଶ୍ରମିକ ଓ ଛାତ୍ରମାନଙ୍କୁ କିପରି ଶୃଙ୍ଖଳିତଭାବେ ସଙ୍ଗରୋଧରେ ରଖାଯାଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଉଲ୍ଲେଖଯୋଗ୍ୟ, ରାଜ୍ୟ ବାହାରୁ ଜିଲାକୁ ଆସୁଥିବା ଶ୍ରମିକଙ୍କ ପାଇଁ ୧୮୨ ପଞ୍ଚାୟତର ୩୨୧ ସ୍ଥାନରେ ୨୨ ହଜାର ୮ଶହ ବେଡ୍‌ ପୂର୍ବରୁ ପ୍ରସ୍ତୁତ ରହିଛି। ସେଠାରେ ସମସ୍ତ ପ୍ରକାର ସୁବିଧା କରାଯାଇଥିବା ଜିଲାପାଳ କହିଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲା କୃଷି ଅଧିକାରୀ ପ୍ରଦୀପ କୁମାର ରଥ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ, ଜଳ ବିଭାଜିକା ମିଶନର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।