କରୋନା ସହ ଲଢ଼େଇ ପାଇଁ ସାମ୍ନାକୁ ଆସିଲେ ଉଦ୍ୟୋଗପତି

ନୂଆଦିଲ୍ଲୀ,୨୩।୩: ଦେଶରେ କରୋନାର ପ୍ରକୋପ ଜାରି ରହିଛି। କରୋନା ଭାଇରସ୍‌ ସଂକ୍ରମଣରେ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ୮କୁ ଟପିଛି। ତେବେ କରୋନା ସହ ମୁକାବିଲା ପାଇଁ ବ୍ୟବସାୟ ଓ ଉଦ୍ୟୋଗ ଜଗତ ସହାୟତାର ହାତ ବଢ଼ାଇଛି। ଆନନ୍ଦ ମହିନ୍ଦ୍ରାଙ୍କ ଘୋଷଣା ପରେ ଏବେ ବେଦାନ୍ତ ଗ୍ରୁପ୍‌ର ଚେୟାରମ୍ୟାନ ଅନୀଲ ଅଗ୍ରଓ୍ବାଲ ଓ ପେଟିଏମ୍‌ର ସଂସ୍ଥାପକ ବିଜୟ ଶେଖର ଶର୍ମା ସହାୟତା ପାଇଁ ଘୋଷଣା କରିଛନ୍ତି। ସୋମବାର କରୋନା ଭାଇରସ୍‌କୁ ରୋକିବା ପାଇଁ ଅନୀଲ ଅଗ୍ରଓ୍ବାଲ ୧୦୦କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ଦେଶରେ ଜାରି ରହିଥିବା ଏଭଳି ପରିସ୍ଥିତି ସହ ମୁକାବିଲା ପାଇଁ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବା ସହ ସମସ୍ତଙ୍କ ସହାୟତା ଅତ୍ୟନ୍ତ ଜରୁରୀ ବୋଲି ଅନୀଲ କହିଛନ୍ତି। ସେହିପରି ପେଟିଏମ୍‌ ସଂସ୍ଥାପକ ବିଜୟ ଶର୍ମା କରୋନା ଭାଇରସ୍‌ର ଔଷଧକୁ ବିକଶିତ କରିବା ପାଇଁ ଭାରତୀୟ ରିସଚ୍ଚର୍ସଙ୍କୁ ୫କୋଟି ଟଙ୍କା ଦେବେ ବୋଲି ଘୋଷଣା କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ରବିବାର ଆନନ୍ଦ ମହିନ୍ଦ୍ରା ସର୍ବପ୍ରଥମେ ସ୍ବଇଛାରେ ନିଜର ପୂରା ବେତନକୁ ଦାନ କରିବେ ବୋଲି ଘୋଷଣା କରିଥିଲେ। ଏଥିସହ ତାଙ୍କ ସହଯୋଗୀଙ୍କୁ ମଧ୍ୟ କରୋନା ଫଣ୍ଡ ପାଇଁ ଦାନ କରିବାକୁ କହିଥିଲେ।

Share