କରୋନା ସର୍ଭେବେଳେ ଅଙ୍ଗନଓ୍ବାଡି କର୍ମୀଙ୍କ ମୃତ୍ୟୁ

ଅମରପାଲି, ୨୨ା୪(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରାମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁରୁବୁଡ଼ା ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀଙ୍କର କରୋନା ସର୍ଭେ ବେଳେ ବୁଧବାର ମୃତ୍ୟୁ ଘଟିଛି। ମୃତ ଅଙ୍ଗନଓ୍ବାଡି କର୍ମୀ ହେଲେ ଖଣ୍ଡହତା ଗଁାର କିଶୋରୀ ଥାଟି (୫୬)। ସୂଚନା ଅନୁସାରେ ବିଭାଗର ନିର୍ଦ୍ଦେଶକ୍ରମେ ସେ ପୂର୍ବାହ୍ନ ୧୦ଟାରେ ବୁରବୁଡ଼ା ଗ୍ରାମରେ ଘରକୁ ଘର ଯାଇ କରୋନା ପାଇଁ ସର୍ଭେ କରୁଥିଲେ। ଏହି ସମୟରେ ହଠାତ ସେ ଅସୁସ୍ଥତା ଅନୁଭବ କରି ତଳେ ପଡି ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଗାଡିରେ ବୀରାମହାରାଜପୁର ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତର କିଶୋରୀଙ୍କୁ ମୃତ ଘୋଷଣା କରିଥିଲେ। କରୋନା ପାଇଁ କାର୍ଯ୍ୟରତ ସମୟରେ ଅଙ୍ଗନଓ୍ବାଡି କର୍ମୀଙ୍କର ମୃତ୍ୟୁ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି।