କରୋନା ସମୟରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଉପକୂଳବାସୀ ଆତଙ୍କିତ

ରାଜନଗର,୧୭ା୫(ଡି.ଏନ୍‌.ଏ.) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଅମ୍ଫନ’କୁ ନେଇ କେନ୍ଦ୍ରାପଡ଼ା ଜିଲା ରାଜନଗର ଓ ମହାକାଳପଡ଼ା ବ୍ଲକରେ ସମୁଦ୍ରକୂଳିଆ ୪୯ଟି ଗ୍ରାମର ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବିଶେଷକରି ସମୁଦ୍ର ତଟବର୍ତ୍ତୀ ସାତଭାୟା, ପେଣ୍ଠ, ସୁନ୍ଦରୀପାଳ, ପ୍ରହରାଜପୁର, ଗଜରାଜପୁର, ପ୍ରସନ୍ନପୁର, ଏଣ୍ଡୁଳାପୁର ସମେତ ଜମ୍ବୁ, ବତୀଘର, ତନ୍ତିଆପାଳ ଆଦି ୪୯ଟି ଗାଁର ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସମୁଦ୍ର କୂଳବର୍ତ୍ତୀ ୪୦ଟି ବାତ୍ୟା ଆଶ୍ରୟସ୍ଥଳୀରେ ଏବେ ମହାମାରୀ କରୋନା ପାଇଁ ବାହାର ରାଜ୍ୟରୁ ଫେରିଥିବା ପ୍ରବାସୀ ଓଡ଼ିଆ କ୍ୱାରାଣ୍ଟାଇନ୍‌ରେ ରହିଛନ୍ତି। ଏପଟେ ଉପକୂଳବର୍ତ୍ତୀ ଲୋକଙ୍କୁ ନିରାପଦ ସ୍ଥାନକୁ ଆଣିବା ପାଇଁ ଜିଲାପାଳ ସମର୍ଥ ବର୍ମା ବ୍ଲକ, ତହସିଲ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଏପରି ସ୍ଥିତିରେ ଲୋକେ କିପରି ଜୀବନ ବଞ୍ଚାଇବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ଅନ୍ୟପକ୍ଷରେ ରାଜନଗରର ସୁରକ୍ଷାକବଚ କୁହାଯାଉଥିବା ପେଣ୍ଠ ପଥର ବନ୍ଧକୁ ସୁଦୃଢ଼ କରିବା ପାଇଁ ଜଳସମ୍ପଦ ବିଭାଗ ଯନ୍ତ୍ରୀମାନେ ବାଲିବସ୍ତା ପକାଇଛନ୍ତି।