କରୋନା ସମୟରେ କଳାକାରଙ୍କୁ ଭତ୍ତା ଦେବାକୁ ଭୁଲିଗଲେ ସରକାର

ଧାମନଗର,୨୯।୩(ଡି.ଏନ୍‌.ଏ.): କରୋନା କବଳରୁ ମୁକ୍ତି ପାଇଁ ସରକାରଙ୍କ ପ୍ରଚେଷ୍ଟା ଜାରି ରହିଥିବାବେଳେ ଗୃହବନ୍ଦୀ କରାଯାଇ ଜନସାଧାରଣଙ୍କୁ ଖାଦ୍ୟପେୟ ଯୋଗାଇ ଦିଆଯାଉଛି। ଗରିବ ବୃଦ୍ଧା,ବୃଦ୍ଧ, ବିଧବା, ଭିନ୍ନକ୍ଷମଙ୍କୁ ଅଗ୍ରୀମ ୩ ମାସର ଭତ୍ତା ପ୍ରଦାନ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଉଥିବା ୫୦ ହଜାର ଦୁଃସ୍ଥ କଳାକାରଙ୍କୁ ପ୍ରଶାସନ ଭୁଲିଯାଇଥିବା ଜଣାପଡ଼ିଛି। କଳାକାର ଭତ୍ତା ବାବଦକୁ ମାସିକ ୧୨ ଶହ ଲେଖାଏ ମିଳୁଥିବାବେଳେ ହଜାର ହଜାର କଳାକାର ଏପରି ଦୁଃସମୟରେ ସେମାନଙ୍କ ଭତ୍ତା ପାଇଁ ଅପେକ୍ଷା କରିଛନ୍ତି । ଭଦ୍ରକ ଜିଲାରେ ୧୧୬୯ ଜଣ ଦୁଃସ୍ଥ କଳାକାରଙ୍କୁ ଭତ୍ତା ମିଳୁଥିବାବେଳେ ଧାମନଗର ବ୍ଲକରେ ୨୧୦ଜଣ କଳାକାର ଭତ୍ତା ପାଇଆସୁଥିଲେ। ବାରମ୍ବାର ପ୍ରଶାସନକୁ ବିଭିନ୍ନ ମାଧ୍ୟମରେ ଅବଗତ କରାଉଥିବାବେଳେ ଏପର୍ଯ୍ୟନ୍ତ ସରକାରଙ୍କର ଧ୍ୟାନ ନ ଥିବା ଅଭିଯୋଗ ହୋଇଛି। ଭଦ୍ରକ ଜିଲା କଳାସଂସ୍କୃତି ଉପସଭାପତି ସୁବାସ ଚନ୍ଦ୍ର ମଲ୍ଲିକଙ୍କ ଅନୁସାରେ ସରକାର କଳାକାରଙ୍କୁ ଚିହ୍ନଟ କରି କ୍ରମାଗତ ଭାବେ ଭତ୍ତା ପ୍ରଦାନ କରିଆସୁଥିବାବେଳେ ଚଳିତ ବିପର୍ଯ୍ୟୟ ସମୟରେ ସେମାନଙ୍କୁ ସହାୟତା ପାଇଁ ବାରମ୍ବାର ଜିଲା ପ୍ରଶାସନକୁ ଜଣାଇବା ସହିତ ବିଭାଗୀୟ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଅନୁରୋଧ କରାଯାଇଛି।