କରୋନା ସମ୍ପର୍କରେ ସୂଚନା ନ ଦେବାକୁ ଡବ୍ଲ୍ୟୁଏଚ୍‌ଓ ଉପରେ ଚାପ ପକାଇଥିଲା ଚାଇନା: ସିଆଇଏ

ଓ୍ବାଶିଂଟନ,୧୩।୫: ପୃଥିବୀରେ କରୋନା ସଂକ୍ରମଣ ବ୍ୟାପିବା ପଛରେ ଚାଇନାର ହାତ ରହିଛି। କରୋନା ସମ୍ପର୍କରେ ଆବଶ୍ୟକ ତଥ୍ୟ ଚାଇନା ଲୁଚାଇବା ସହିତ ଏନେଇ କୌଣସି ସୂଚନା ନ ଦେବାକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଉପରେ ଚାପ ପକାଇଥିବା ଆମେରିକା କହିଛି। ଆମେରିକାର ସେଣ୍ଟ୍ରାଲ ‌ ଇନଭେଷ୍ଟିଗେଟିଂ ଏଜେନ୍ସି(ସିଆଇଏ) ପକ୍ଷରୁ ଏସମ୍ପର୍କରେ କୁହାଯାଇଛି। ଏହାପୂର୍ବରୁ ଜର୍ମାନୀର ଗୋଇନ୍ଦା ସଂସ୍ଥା ପକ୍ଷରୁ ମଧ୍ୟ ସମାନ ପ୍ରକାର ରିପୋର୍ଟ ପ୍ରକାଶ ପାଇଥିଲା। କରୋନା ସଂକ୍ରମଣର ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ଡବ୍ଲୁଏଚ୍‌ଓ ପକ୍ଷରୁ ସତର୍କ ସୂଚନା ପ୍ରକାଶ ପାଇଥିଲେ ହୁଏତ ପୃଥିବୀର ବିଭିନ୍ନ ଦେଶରେ କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ସଂଖ୍ୟା ବଢ଼ି ନ ଥାନ୍ତା। କିନ୍ତୁ ଚାଇନା ଏଭଳି ନ କରିବାକୁ ଡବ୍ଲ୍ୟୁଏଚ୍‌ଓ ଧମକ ଦେଇଥିବା ସିଆଇଏ କହିଛି। ଡବ୍ଲ୍ୟୁଏଚ୍‌ଓକୁ ସହଯୋଗ ନ କରିବାକୁ ଚାଇନା ଧମକ ଦେଇଥିବା ସିଆଇଏ ଅନୁମାନ କରୁଛି। ସିଆଇଏ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଜାନୁୟାରୀରେ ଚାଇନା ଡବ୍ଲ୍ୟୁଏଚ୍‌ଓ୍‌କୁ ଏଭଳି ଧମକ ଦେଇଥିଲା। ଜର୍ମାନୀର ଗଣମାଧ୍ୟମ ସଂସ୍ଥା ଡେର୍‌ ସ୍ପିଜେଲ୍‌ ଦେଶର ଗୋଇନ୍ଦା ସଂସ୍ଥାର ସତର୍କକ ସୂଚନା ଆଧାରରେ ବାଦି କରିଥିଲା ଯେ, ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ବ୍ୟକ୍ତିଗତ ଭାବେ ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରେୟିସସ୍‌ଙ୍କୁ କରୋନା ସମ୍ପର୍କିତ ମାର୍ଗଦର୍ଶିକା ଜାରି କରିବାରେ ବିଳମ୍ବ ଲାଗି କହିଥିଲେ। ତେବେ ଏଭଳି ଦାବିକୁ ପରବର୍ତ୍ତୀ ସମୟରେ ଡବ୍ଲୁଏଚ୍‌ଓ ପକ୍ଷରୁ ମିଥ୍ୟା ବୋଲି କୁହାଯାଇଥିଲା। ଡେର୍‌ ସ୍ପିଜେଲ ଅନୁସାରେ ଜାନୁୟାରୀ ୨୧ରେ ଜିନ୍‌ପିଙ୍ଗ୍‌ ମନୁଷ୍ୟଙ୍କଠାରେ କରୋନା ସଂକ୍ରମଣ ସୂଚନା ପ୍ରକାଶରେ କିଛି ଦିନ ପାଇଁ ବିଳମ୍ବ କରିବାକୁ ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକଙ୍କୁ କହିଥିଲେ। କିନ୍ତୁ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ କୁହାଯାଇଥିଲା ଯେ ଜିନ୍‌ପିଙ୍ଗ୍‌ ଏବଂ ମହାନିର୍ଦ୍ଦେଶକ ମଧ୍ୟରେ ଫୋନ୍‌ରେ କେବେ ମଧ୍ୟ କଥାବାର୍ତ୍ତା ହୋଇନାହିଁ। ଏବେ ଏହାକୁ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଜାରି ରହିଛି।

Share