କରୋନା ସଂକ୍ରମଣ: ସହାୟତାର ହାତ ବଢ଼ାଇଲା ଗୁପ୍ତଚର ସଂସ୍ଥା

ତେଲଅଭିଭ୍‌,୧୩।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଇସ୍ରାଏଲ୍‌ରେ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏଠାରେ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ତେବେ ଏଭଳି ପ୍ରତିକୂଳ ପରିସ୍ଥିତିରେ ଦେଶର ଗୁପ୍ତଚର ସଂସ୍ଥା ମୋସାଦ ସରକାରଙ୍କୁ ସହାୟତାର ହାତ ବଢ଼ାଇଛି। ଯୋଜନାବଦ୍ଧ ଭାବେ କାର୍ଯ୍ୟଧାରା ଗ୍ରହଣ, ଅନୁସନ୍ଧାନ, ପରୀକ୍ଷା ନିରୀକ୍ଷା ତଥା ଚିକିତ୍ସା ବ୍ୟବସ୍ଥାରେ କେତେକ ପରିବର୍ତ୍ତନ ମୋସାଦ ନିର୍ଦ୍ଦେଶରେ କରାଯାଇଛି। ଫଳରେ ଇସ୍ରାଏଲ୍‌ରେ ଏବେ କରୋନା ବିରୋଧରେ ଲଢ଼େଇ ସହଜ ମନେ ହେଉଛି। କିଛିଦିନ ତଳେ ଇସ୍ରାଏଲ୍‌ ସ୍ବାସ୍ଥ୍ୟମନ୍ତ୍ରୀ ୟାକୋଭ ଲିଜ୍‌ମ୍ୟାନ୍‌ଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହୋଇଥିଲା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୋସାଦ ନିର୍ଦ୍ଦେଶକ ୟୋସି କୋହେନ୍‌ ଲିଜ୍‌ମ୍ୟାନ ଥିବା ରୁମ୍‌ରେ ମଧ୍ୟ ରହିଥିଲେ। ପରବର୍ତ୍ତୀ ସମୟରେ କୋହେନ୍‌ଙ୍କ ଦ୍ୱାରା ମୋସାଦର ଅଧିକାରୀମାନେ ଦେଶରେ ମେଡିକାଲ ସେବା ଉପଲବ୍ଧ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ ସାରା ଦେଶରୁ କୋହେନ୍‌ଙ୍କ ପାଇଁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି।

Share