କରୋନା ସଂକ୍ରମଣ: ଶିଶୁଙ୍କ ସୁସ୍ଥତା ହାର ଶହେ ପ୍ରତିଶତ!

ଭୋପାଳ,୧୮।୭: କରୋନା ସଂକ୍ରମଣ ବେଳକୁ ବେଳ ଭୟଙ୍କର ହେବାରେ ଲାଗିଛି। ଏହା କବଳରେ ଛୋଟଠାରୁ ବଡ ସମସ୍ତେ ପଡି ଯାଉଥିବା ବେଳେ କରୋନା ଏବେ ସମସ୍ତଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ନିକଟରେ ଦେଖାଯାଇଛି ଭୋପାଳରେ ଜୁଲାଇ ମାସଠାରୁ ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି। ଏବେ ସେଠାରେ ପ୍ରତିଦିନ ପ୍ରାୟ ୯୦ ନୂଆ ସଂକ୍ରମିତ ଚିହ୍ନଟ କରାଯାଉଛନ୍ତି। ଏଠାରେ ୯ ଦିନର ଶିଶୁଠାରୁ ଆରମ୍ଭ କରି ୯୦ ବର୍ଷ ବୟସର ବ୍ୟକ୍ତି ବି କରୋନରେ ସଂକ୍ରମିତ ହୋଇଥିବା ଜଣାପଡିଛି। କିନ୍ତୁ ଏଠାରେ ଶିଶୁଙ୍କ ସୁସ୍ଥତା ହାର ପ୍ରାୟ ଶହେ ପ୍ରତିଶତ ବୋଲି କୁହାଯାଉଛି। ତେବେ ପରିବାର ସଦସ୍ୟଙ୍କ ଅବହେଳା ଯୋଗୁ ଶିଶୁମାନେ କରୋନାରେ ପୀଡ଼ିତ ହେଉଥିବା କୁହାଯାଉଛି। ଜୁଲାଇ ୧ରୁ ୧୦ ମଧ୍ୟରେ ୦-୧୫ ବର୍ଷର ପାଖାପାଖି ୩୩ ଜଣ ଶିଶୁ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଏମାନେ ପ୍ରାୟ ସମସ୍ତେ ସୁସ୍ଥ ହୋଇଯାଇଥିବା କୁହାଯାଏ। ଶିଶୁମାନଙ୍କୁ କରୋନା କବଳରୁ ଦୂରେଇ ରଖିବାକୁ ହେଲେ ଘର ଭିତରେ ହ୍ୟାଣ୍ଡ ସାନିଯାଇଜ୍‌ ଓ ସୋସିଆଲ ଡିଷ୍ଟାନସିଂକୁ ମଧ୍ୟ ଗୁରୁତ୍ୱ ଦେବା ଜରୁରୀ ବୋଲି କହିଛନ୍ତି ଗାନ୍ଧୀ ମେଡିକାଲ କଲେଜର ଶିଶୁରୋଗ ବିଭାଗର ମୁଖ୍ୟ ଡା. ଜ୍ୟୋତ୍ସ୍ନା ଶ୍ରୀବାସ୍ତବ। ଆବଶ୍ୟକ ନ ଥିଲେ ପିଲାମାନଙ୍କୁ ବାହାରକୁ ଯିବାକୁ ଦେବା ଠିକ୍‌ ନୁହେଁ। ଯେତେ ସମ୍ଭବ ପିଲାଙ୍କୁ ଅନ୍ୟମାନଙ୍କଠାରୁ ଦୂରେଇ ରଖିବା ଭଲ ବୋଲି ସେ କହିଛନ୍ତି।

Share