କରୋନା ସଂକ୍ରମଣ ପ୍ରତିହତ ଲାଗି ଡବେରୀରେ ଗାଡ଼ିମୋଟର ଯାଞ୍ଚ

ଦାରିଙ୍ଗବାଡ଼ି,୧୯।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ପକ୍ଷରୁ ମିଳିତ ଭାବେ ଡବେରୀଠାରେ ବ୍ଲକିଂ କରି କଡ଼ାକଡ଼ି ଭାବେ ଗାଡ଼ିମୋଟର ଯାଞ୍ଚ କରାଯାଉଛି। ରାଜ୍ୟ ବାହାରୁ ବିଶେଷକରି ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରୁ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସୁଥିବା ବେଳେ ଏବେ ତାହା ବନ୍ଦ କରି ଦିଆଯାଇଛି। ସେହିପରି ଦାରିଙ୍ଗବାଡ଼ି ଅଞ୍ଚଳରୁ ମଧ୍ୟ କିଛି ଲୋକ କେରଳ, ତାମିଲନାଡୁ ପରି ବିଭିନ୍ନ ରାଜ୍ୟକୁ ରୋଜଗାର ପାଇଁ ଯାଇଥିବା ବେଳେ କରୋନା ସଂକ୍ରମଣକୁ ଭୟକରି ଏବେ ନିଜ ଭିଟାମାଟିକୁ ଫେରୁଛନ୍ତିି। ଏଣୁ ସେମାନଙ୍କୁ ପୋଲିସ, ରାଜସ୍ବ ବିଭାଗ ଏବଂ ସ୍ବାସ୍ଥ୍ୟବିଭାଗର କର୍ତ୍ତୃପକ୍ଷ ମିଳିତ ଭାବେ ଯାଞ୍ଚ କରିବା ସହ ସେମାନଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ସ୍ବାସ୍ଥ୍ୟ ପରୀକ୍ଷା କରାଉଛନ୍ତି ବୋଲି ଦାରିଙ୍ଗବାଡ଼ି ଆଇଆଇସି କୌଶିକ ମାଝୀ କହିଛନ୍ତି। ଏବେ ଜିଲା ପ୍ରଶାସନ ୧୪୪ ଧାରା ଲାଗୁ କରିବା ପରେ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସିବା ଏକପ୍ରକାର ବନ୍ଦ କରିଦେଇଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ସରକାରୀ ଏବଂ ବେସରକାରୀ ସ୍ତରରେ ସଭାସମିତି ମଧ୍ୟ ବନ୍ଦ ରହିଛି।ବଜାର,ରାସ୍ତାଘାଟ ପ୍ରାୟ ଶୂନ୍‌ଶାନ ହୋଇପଡ଼ିଛି।