କରୋନା ସଂକ୍ରମଣ: ପିତାଙ୍କ ମୃତଦେହ ନେବାକୁ ମନାକଲେ ପୁଅ; ତହସିଲଦାର କଲେ ଅନ୍ତିମ ସଂସ୍କାର

ଭୋପାଳ,୨୨।୪: କରୋନା ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।  ସଂକ୍ରମଣରୁ ଦୂରେଇ ରହିବା ପାଇଁ ସାମାଜିକ ଦୂରତା ବଜାୟ ରଖିବାକୁ ସରକାରଙ୍କ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି। କରୋନା ଯୋଗୁ ରକ୍ତ ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହେଉଛି। ଏହାର ସଦ୍ୟତମ ଉଦାହରଣ ମଧ୍ୟପ୍ରଦେଶର ବୈରାଗଡ଼ ଅଞ୍ଚଳରେ ଘଟିଛି। କରୋନା ସଂକ୍ରମଣ ଯୋଗୁ ମୃତ୍ୟୁ ଘଟିଥିବା ପିତାଙ୍କ ମୃତଦେହ ନେବାକୁ କିମ୍ବା ଛୁଇଁବାକୁ ପୁଅ ମନା କରିଥିଲେ। ଶେଷରେ ସ୍ଥାନୀୟ ତହସିଲଦାର ଗୁଳାବ ସିଂ ବଘେଲ ସମ୍ପୃକ୍ତ ବ୍ୟକ୍ତିିଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ପୁଅ ୫୦ ମିଟର ଦୂରରେ ରହି ଅନ୍ତିମ ସଂସ୍କାର କାର୍ଯ୍ୟ ଦେଖିଥିଲେ। ସୁଜାଲପୁରର ବାସିନ୍ଦା ସମ୍ପୃକ୍ତ ବ୍ୟକ୍ତିଙ୍କୁ ପକ୍ଷାଘାତ ହୋଇଥିଲା। ତାଙ୍କୁ ଏକ ମଲ୍ଟିକେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କରୋନା ଲକ୍ଷଣ ତାଙ୍କଠାରେ ପ୍ରକାଶ ପାଇବାରୁ ଚିକିତ୍ସା କରୁଥିବା ଡାକ୍ତର ତାଙ୍କର ନମୁନା ଏପ୍ରିଲ୍‌ ୧୦ରେ ପରୀକ୍ଷା ପାଇଁ ପଠାଇଥିଲେ। ଏପ୍ରିଲ୍‌ ୧୪ରେ ତାଙ୍କ ରିପୋର୍ଟ କରୋନା ପଜିଟିଭ୍‌ ଆସିଥିଲା। ଏହାପରେ ତାଙ୍କୁ ଚିକିତ୍ସା ଲାଗି ଭୋପାଳର ଚିରାୟୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସୋମବାର ତାଙ୍କର ମୃତ୍ୟୁ ଘଟିଥିଲା।

Share