କରୋନା ସଂକ୍ରମଣର ୩ ଦିନ ପରେ ହ୍ରାସ ପାଏ ଘ୍ରାଣ ଶକ୍ତି !

ନ୍ୟୁୟର୍କ,୯।୫: କରୋନା ମହାମାରୀ ଏବେ ସାରା ବିଶ୍ୱରେ ତାଣ୍ଡବ ରଚିଥିବା ବେଳେ ଏହାର ଚିକିତ୍ସା ପାଇଁ ଏପର୍ଯ୍ୟନ୍ତ କୌଣସି ଔଷଧ ମିଳିପାରି ନାହିଁ। କରୋନାରୁ ମୁକ୍ତି ପାଇବାକୁ ଏବେ ସାରା ବିଶ୍ୱରେ ଗବେଷଣା ଜାରି ରହିଛି। ଏବେ ପର୍ଯ୍ୟନ୍ତ ମଧ୍ୟ କରୋନାର ଲକ୍ଷଣ ଭିନ୍ନ ଭିନ୍ନ ରୋଗୀଙ୍କଠାରେ ଅଲଗା ହେଉଥିବାରୁ ଏହାର ଲକ୍ଷଣକୁ ନେଇ ମଧ୍ୟ ବେଳେ ବେଳେ ଦ୍ୱନ୍ଦ୍ୱ ଉପୁଜୁଛି। ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି କି କରୋନା ସଂକ୍ରମିତ ରୋଗୀ ୩ ଦିନ ପରେ ଘ୍ରାଣ ଶକ୍ତି ହରାଇ ଥାଏ। ଅର୍ଥାତ ସଂକ୍ରମିତ ରୋଗୀ କୌଣସି ଗନ୍ଧ ବାରିପାରି ନ ଥାଏ ବୋଲି କୁହାଯାଉଛି। ଜର୍ନାଲ ଅଫ୍‌ ଅଟୋଲାରନଗୋଲୋଜି-ହେଡ ଆଣ୍ଡ ନେକ୍‌ ସର୍ଜରୀରେ ପ୍ରକାଶିତ ଏକ ଟେଲିଫୋନିକ ଅଧ୍ୟୟନରୁ ଏହା ଜଣାପଡିଛି। ଏଥିରେ ୬ ସପ୍ତାହ ମଧ୍ୟରେ କୋଭିଡ-୧୯ ପରୀକ୍ଷଣ କରିଥିବା ପ୍ରାୟ ୧୦୩ ଜଣ ରୋଗୀଙ୍କ ଲକ୍ଷଣକୁ ନେଇ ବିଶ୍ଳେଷଣ କରାଯାଇଥିଲା। ଏହି ଅଧ୍ୟୟନର ବିଶେଷଜ୍ଞ ଅହମ୍ମଦ ସେଦାଘାଟଙ୍କ ମତରେ ୧୦୩ ଜଣ ରୋଗୀଙ୍କ ମଧ୍ୟରୁ ୬୧ ପ୍ରତିଶତ ରୋଗୀଙ୍କ ପାଖରେ ଘ୍ରାଣ ଶକ୍ତି ପୂର୍ବାପେକ୍ଷା କମ୍‌ ପରିଲକ୍ଷିତ ହୋଇଥିଲା। ଏହି ଲକ୍ଷଣ ୩-୪ ଦିନ ମଧ୍ୟରେ ପରିଲକ୍ଷିତ ହୋଇଥିବା ବିଷେଜ୍ଞମାନେ କହିଛନ୍ତି।

Share