କରୋନା ସଂକ୍ରମଣରେ ଏଠି ହୋଇନାହିଁ ଜଣଙ୍କର ବି ମୃତ୍ୟୁ

ଇନୋଇ,୩୦।୫: କରୋନା ଭାଇରସ ସଂକ୍ରମଣକୁ ନେଇ ଏବେ ସାରା ବିଶ୍ୱ ଚିନ୍ତିତ। ଆମେରିକା ଭଳି ବିକାଶଶୀଳ ଦେଶରେ ବି ପ୍ରତିଦିନ ହଜାର ହଜାର ଲୋକ କରୋନାରେ ସଂକ୍ରମିତ ହେଉଥିବା ବେଳେ ଶହଶହ ଲୋକଙ୍କ ମୃତ୍ୟୁ ହେଉଛି। ହେଲେ ଚାଇନା ସୀମାକୁ ଲାଗି ରହିଥିବା ଏମିତି ଏକ ଦେଶ ରହିଛି ଯେଉଁଠାରେ ଆଜି ପର୍ଯ୍ୟନ୍ତ କରୋନା ସଂକ୍ରମଣରେ ଜଣଙ୍କର ବି ମୃତ୍ୟୁ ହୋଇନାହିଁ। କରୋନା କବଳରୁ ନିଜକୁ ବଞ୍ଚାଇ ରଖିଥିବା ଦେଶ ଭିଏତନାମର ପ୍ରଶଂସା ଏବେ ସାରା ବିଶ୍ୱ କରୁଛି। ଏଠାକାର ଜନସଂଖ୍ୟା ପାଖାପାଖି ୯.୭ କୋଟି ହୋଇଥିବା ବେଳେ ଏବେ ସେଠାରେ କରୋନା ସଂକ୍ରମଣରେ ଜଣଙ୍କର ବି ମୃତ୍ୟୁ ହୋଇନାହିଁ। ଗତ ଶୁକ୍ରବାର ପର୍ଯ୍ୟନ୍ତ ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୮ ଥିବା ବେଳେ ଏମାନଙ୍କ ମଧ୍ୟରୁ ୨୭୯ ଜଣ ସୁସ୍ଥ ହୋଇ ସାରିଥିବା କୁହାଯାଉଛି। ଏଠାକାର ସ୍ବାସ୍ଥ୍ୟସେବା ଏତେ ଉନ୍ନତ ମଧ୍ୟ ନୁହେଁ। ପ୍ରତି ୧୦ ହଜାର ଲୋକଙ୍କ ପାଇଁ ସେଠାରେ ମାତ୍ର ୮ଜଣ ଡାକ୍ତର କାମ କରନ୍ତି। ତେବେ ଏମାନେ କେମିତି କରୋନା ଭଳି ମହାମାରୀକୁ ଏଡାଇ ଯାଇ ପାରିଲେ ତାହା ଏବେ ସବୁଆଡେ ଚର୍ଚ୍ଚା ହେଉଛି। ତେବେ କରୋନା ଭାଇରସକୁ ନେଇ ପ୍ରଥମରୁ ହିଁ ଭିଏତନାମରେ ସଚେତନତା ସୃଷ୍ଟି କରାଯାଇଥିଲା। ସରକାର ଚାଇନାକୁ ଲାଗି ରହିଥିବା ସୀମା ଓ ଗୋଟିଏ ଦେଶରୁ ଆଉ ଏକ ଦେଶକୁ ଯାତ୍ରା କରିବାରେ ପ୍ରତିବନ୍ଧକ ଲାଗାଇଦେଲେ। ଏହାସହ ଏକକାଳୀନ ୩ ସପ୍ତାହର ଲକ୍‌ଡାଉନ ଘୋଷଣା କଲେ। ଏହାପରେ ସ୍ଥିତିର ସମିକ୍ଷା କରି ଲକ୍‌ଡାଉନ ନିୟମରେ କୋହଳ କରାଗଲା। ଆଉ ଏହାପରେ ୪୦ ଦିନ ପର୍ଯ୍ୟନ୍ତ ସ୍ଥାନୀୟ ସଂକ୍ରମଣର କୌଣସି ଘଟଣା ଦେଖିବାକୁ ମିଳି ନ ଥିଲା। ପ୍ରଥମକରି ଚାଇନାରେ କରୋନା ସଂକ୍ରମଣ ଦେଖାଯିବା ପରେ ଭିଏତନାମ ଚାଇନା ସୀମାକୁ ସିଲ୍‌ କରି ଦେଇଥିଲା। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଆଡଭାଇଜରୀ ଆସିବା ପୂର୍ବରୁ ଭିଏତନାମ ସରକାର ଦେଶରେ ସଚେତନତା ସୃଷ୍ଟି କରିବା ଆରମ୍ଭ କରି ଦେଇଥିଲେ। ଏମିତିକି ବିଦେଶରୁ ଆସୁଥିବା ବିମାନଯାତ୍ରୀଙ୍କର ଥର୍ମାଲ ସ୍କ୍ରିନଂ ବାଧ୍ୟତାମୂଳକ ସହ ଯେଉଁମାନଙ୍କ ଶରୀରର ତାପମାତ୍ରା ଅଧିକ ରହୁଥିଲା ସେମାନଙ୍କୁ ୧୪ ଦିନ ବାଧ୍ୟତାମୂଳକ କ୍ୱାରାଣ୍ଟାଇନରେ ରଖାଯାଉଥିଲା। ଜାନୁୟାରୀ ଶେଷ ବେଳକୁ ଚାଇନାକୁ ଯିବା ଆସିବା କରୁଥିବା ସମସ୍ତ ବିମାନକୁ ବନ୍ଦ କରି ଦିଆଯାଇଥିଲା। ସେହିପରି ମାର୍ଚ୍ଚ ମାସରେ ବିଦେଶୀଙ୍କୁ ପ୍ରବେଶ ଅନୁମତି ଦେଇ ନ ଥିଲେ ଭିଏତନାମ ସରକାର। କଣ୍ଟାକ୍‌ ଟ୍ରେସିଂ ଓ ସାମାଜିକ ଦ୍ୱରତ୍ୱକୁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏସବୁ ପରେ ଏବେ ଭିଏତନାମରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି ବୋଲି କୁହାଯାଉଛି। ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

Share