Categories: ଜାତୀୟ

କରୋନା ଭୟ: ସଂକ୍ରମଣ ପୂର୍ବରୁ ନିଜକୁ ଅଲଗା କରି ରଖିଲେ ମୋଦିଙ୍କ ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୩: କରୋନା ଭାଇରସ ଏବେ ବିଶ୍ୱପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଚାଇନା ପରେ ଏବେ ଇଟାଲି, ଇରାନରେ ସବୁଠାରୁ ଅଧିକ ପରିମାଣରେ ଲୋକ କରୋନାରେ ସଂକ୍ରମିତ ହେବା ସହ ସେମାନଙ୍କର ମୃତ୍ୟୁ ମଧ୍ୟ ହେଉଛି। ଭାରତରେ ବି କରୋନା ସ୍ଥିତି ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ମହାରାଷ୍ଟ୍ର କେରଳରେ ପ୍ରତିଦିନ କରୋନା ପଜିଟିଭ ଚିହ୍ନଟ ହେଉଥିବା ଦେଖାଯାଇଛି। ଏହାକୁ ଦେଖି କେନ୍ଦ୍ରମନ୍ତ୍ରୀ ଭି.ମୁରଲିଧରନ କେରଳର ତ୍ରିଭାନ୍ଦ୍ରମରେ ନିଜକୁ କ୍ୱାରାଣ୍ଟାଇନରେ ରଖିଥିବା ଜଣାପଡିଛି। ସେ କେରଳର ବାସିନ୍ଦା ହୋଇଥିବାରୁ ସେହିଠାରେ ହିଁ ସେ ନିଜକୁ ବନ୍ଦ କରି ରଖିଥିବା ଜଣାପଡିଛି। ତାଙ୍କ ନିକଟରେ ଏପର୍ଯ୍ୟନ୍ତ କରୋନା ଭାଇରସ ଚିହ୍ନଟ କରାଯାଇ ନ ଥିବା ବେଳେ ସେ କିନ୍ତୁ ନିଜକୁ କ୍ୱାରାଣ୍ଟାଇନରେ ରଖିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମାର୍ଚ୍ଚ ୧୪ରେ ମୁରଲିଧରନ ତ୍ରିଭାନ୍ଦ୍ରମର ଏକ ହସ୍ପିଟାଲରେ ଆୟୋଜିତ ବୈଠକରେ ଯୋଗ ଦେଇଥିଲେ। ସେଠାରେ ସ୍ପେନରୁ ଫେରିଥିବା ଜଣେ ଡାକ୍ତର ଉପସ୍ଥିତ ଥିବା ବେଳେ ଉକ୍ତ ଡାକ୍ତର ଜଣକ କୋଭିଡ-୧୯ରେ ପୀଡ଼ିତ ବୋଲି ମାର୍ଚ୍ଚ ୧୫ରେ ଜଣାପଡିଥିଲା। ସେଥିପାଇଁ ମୁରଲିଧରନ ନିଜକୁ କ୍ୱାରାଣ୍ଟାଇନରେ ରଖିଥିବା କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ମୁରଲିଧରନଙ୍କ ରିପୋର୍ଟ ନେଗେଟିଭ ଆସିଛି।

Share