କରୋନା ଭୟ: ଏହି ଦେଶରୁ ମୁକୁଳିଲେ ୮୫ହଜାର କଏଦୀ

ତେହେରାନ,୧୭।୩: କରୋନା ଭାଇରସ୍‌ ଯୋଗୁ ଇରାନରେ ଏପର୍ଯ୍ୟନ୍ତ ୧୪,୯୯୧ ବ୍ୟକ୍ତି ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୮୫୩କୁ ଛୁଇଁଛି। କରୋନା ପ୍ରଭାବକୁ ଦେଖି ଇରାନ ଜେଲରେ ବନ୍ଦୀ ଥିବା ହଜାର ହଜାର କଏଦୀଙ୍କୁ ମୁକ୍ତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣକୁ ରୋକିବାକୁ ମାର୍ଚ୍ଚ୧୭ ମଙ୍ଗଳବାର ଇରାନ ଜେଲରୁ ୮୫ହଜାର କଏଦୀଙ୍କୁ ମୁକ୍ତ କରାଯାଇଥିବା ଜଣାପଡ଼ିଛି। ଏନେଇ ସରକାର ସପ୍ତାହେ ପୂର୍ବରୁ ଜେଲ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ସମସ୍ତ କଏଦୀଙ୍କୁ ସରକାର ସାମୟିକ ଭାବେ ମୁକ୍ତ କରିଥିବା ଜଣାପଡ଼ିଛି। କିନ୍ତୁ ଯେଉଁ କଏଦୀଙ୍କର ଦଣ୍ଡାଦେଶ ୫ବର୍ଷରୁ ଊର୍ଦ୍ଧ୍ୱ ରହିଛି ସେମାନଙ୍କୁ ଜେଲରୁ ମୁକ୍ତ କରାଯାଇନାହିଁ। ଯଦି କଏଦୀଙ୍କ ମଧ୍ୟରେ କରୋନା ବ୍ୟାପେ ତେବେ ବଡ଼ ଆକାରରେ ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ଆଗୁଆ ସତର୍କତା ଅବଲମ୍ବନ କରି ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ସୂଚନା ମୁତାବକ କରୋନା ଭାଇରସ୍‌ ସଂକ୍ରମଣରେ ଇରାନ ବିଶ୍ୱର ତୃତୀୟ ଦେଶ। ଯେଉଁଠାରେ ସର୍ବାଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି।

Share