କରୋନା ଭାଇରସ: ସିଲ୍‌ ହେଲା ଉଦ୍ଧବ ଠାକରେଙ୍କ ଘର ‘ମାତୋଶ୍ରୀ’

ମୁମ୍ବାଇ,୭।୪: କରୋନା ଭାଇରସ ମହାରାଷ୍ଟ୍ରରେ ଅଧିକ ପରିମାଣରେ ଲୋକଙ୍କ ମଧ୍ୟରେ ଦେଖାଯିବା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପାଇଁ ଏକ ଚ୍ୟାଲେଞ୍ଚ ହୋଇ ଠିଆ ହୋଇଛି ବୋଲି କୁହାଯାଉଛି। ଏଠାରେ ପ୍ରତିଦିନ କେହି ନା କେହି କରୋନାରେ ସଂକ୍ରମିତ ହେଉଥିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଏବେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ସାମ୍ନାରେ ଚା’ ଦୋକାନ କରିଥିବା ଜଣେ ମହିଳା କରୋନାରେ ପୀଡ଼ିତ ହେବା ପରେ ଏବେ ଠାକରେ ପରିବାରର ଚିନ୍ତା ବଢିଯାଇଥିବ ବୋଲି ଆଲୋଚନା ହେଉଛି। କାରଣ ଠାକରେଙ୍କ ଘର ସାମ୍ନାରେ ଯେଉଁ ଚା’ ଦୋକାନ ରହିଛି ସେଠାରେ ମାତୋଶ୍ରୀକୁ ଆସୁଥିବା ଲୋକେ ଓ ସେଠାକାର କେତେଜଣ ସୁରକ୍ଷାକର୍ମୀ ଚା’ ପିଉଥିବାରୁ ହୁଏତ ସେମାନେ କରୋନାରେ ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଇ ଏବେ ମାତୋଶ୍ରୀକୁ ସିଲ୍‌ କରି ଦିଆଯିବା ସହ ସାନିଟାଇଜ କରାଯାଉଛି। ଏହି ଚା’ ଦୋକାନଟି ଉଦ୍ଧବ ଠାକରେଙ୍କ ଘର ନିକଟରୁ ମାତ୍ର ୫୦ ମିଟର ଦୂରରେ ରହିଥିବାରୁ ଏହା ସଂସ୍ପର୍ଶରେ ଆସିଥିବା ପ୍ରାୟ ୧୭୦ ଜଣ ପୋଲିସଙ୍କୁ କ୍ୱାରାଣ୍ଟାଇନରେ ରଖାଯିବା ସହ ଠାକରେ ପରିବାରର ସୁରକ୍ଷାରେ ପରିବର୍ତ୍ତନ କରାଯାଇଥିବା ଜଣାପଡିଛି।

Share