Categories: ଜାତୀୟ

କରୋନା ଭାଇରସ ରୋଗୀ ଚିହ୍ନଟ ପରେ ଗେହଲଟ ଡାକିଲେ ଉଚ୍ଚସ୍ତରୀୟ ବୈଠକ

ଜୟପୁର,୩।୩: ଚାଇନାରେ କାୟା ବିସ୍ତାର କରି ଚାଲିଥିବା କରୋନା ଭାଇରସ ଭାରତରେ ମଧ୍ୟ ତା’ର ଉପସ୍ଥିତି ଜାହିର କରି ସାରିଛି। ସୋମବାର ଭାରତରେ ୩ କରୋନା ଭାଇରସ ପଜିଟିଭ ଚିହ୍ନଟ ହେବା ପରେ ଏବେ ସମସ୍ତଙ୍କ ମନରେ ଛନକା ପସିଯାଇଛି। ଏମାନଙ୍କ ମଧ୍ୟରୁ ଜଣେ ଦିଲ୍ଲୀର, ଜଣେ ତେଲେଙ୍ଗାନାର ଓ ଅନ୍ୟଜଣେ ରାଜସ୍ଥାନ ଜୟପୁରର ବୋଲି ଜଣାପଡିଛି। ଏମାନଙ୍କୁ ଆଇସୋଲେଶନ ଓ୍ବାର୍ଡରେ ରଖି ଚିକିତ୍ସା କରାଯାଉଥିବା ବେଳେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି। ଏପଟେ ଜୟପୁରରେ ଜଣେ କରୋନା ଭାଇରସ ସଂକ୍ରମିତ ଚିହ୍ନଟ ହେବା ପରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଇଥିଲେ। ଏହି ବୈଠକରେ ଗେହଲଟ କହିଛନ୍ତି କେନ୍ଦ୍ର ସରକାର କରୋନା ଭାଇରସକୁ ନେଇ ଯେଉଁ ନିର୍ଦ୍ଦେଶ ଦେଇଛନ୍ତି ତାକୁ ପାଳନ କରାଯିବା ଉଚିତ। ଏହାସହ ରାଜ୍ୟରେ ଯେଉଁମାନେ ବିଦେଶରୁ ଫେରିଛନ୍ତି ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି। କେହି ବିଦେଶ ଗସ୍ତ କରିବାର ଥିଲେ ସମସ୍ତ ନିୟମ ପାଳିବାକୁ ସେ କହିଛନ୍ତି। ସୂଚନାଯୋଗ୍ୟ, କରୋନା ଭାଇରସ ଏବେ ସାରା ବିଶ୍ୱକୁ କବଳିତ କରିଥିବା ବେଳେ ଆମେରିକାରେ ମଧ୍ୟ ଏଥିରେ ସଂକ୍ରମିତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏପଟେ ଚାଇନାରେ କରୋନା ଭାଇରସରେ ମୃତକଙ୍କ ସଂଖ୍ୟା ୩ ହଜାର ପାର କରିଗଲାଣି।

Share