କରୋନା ଭାଇରସ: ବିହାରରେ ୩୮ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ

ପାଟନା,୨୨।୩: ଦେଶରେ କରୋନା ଭାଇରସର ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ବିହାରରେ ଜଣେ ୩୮ ବର୍ଷ ବୟସ୍କ ଯୁବକଙ୍କ ମୃତ୍ୟୁ ପରେ ଏବେ ଏହି ସଂଖ୍ୟା ୬ରେ ପହଞ୍ଚିଛି। ଅସୁସ୍ଥ ଥିବା ଯୁବକ ଜଣଙ୍କୁ ପାଟନାର ଏମ୍ସରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ କିଡ୍‌ନୀ କାମ ନ କରିବାରୁ ଶନିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏବେ ତାଙ୍କର ପ୍ରାୟ ୬ଟି ରିପୋର୍ଟରେ କରୋନା ପଜିଟିଭ ମିଳିଥିବା ଜଣାପଡିଛି। କିଛିଦିନ ହେବ ଯୁବକ ଜଣଙ୍କ କତାରରୁ ଭାରତ ଆସିଥିଲେ। ଯୁବକଙ୍କ ଘର ବିହାରର ମୁଙ୍ଗେର ଜିଲା ବୋଲି ଜଣାପଡିଛି। ବିହାରର ଆଉ ଜଣେ ମହିଳାଙ୍କ ନିକଟରେ କରୋନା ପଜିଟିଭ୍‌ ମିଳିଥିବା ବେଳେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ସେପଟେ ଇଣ୍ଡିଆନ୍‌ କାଉନସିଲ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ(ଆଇସିଏମ୍‌ଆର୍‌)କହିଛି ରବିବାର ଦିନ ୧୨ଟା ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୩୪୧ରେ।

Share