କରୋନା ଭାଇରସ: ଚାଇନାରେ ମୃତ୍ୟୁ ସଂଖ୍ୟା ୨,୭୮୮

ବେଜିଂ,୨୮।୨: ଚାଇନାରେ କରୋନା ଭାଇରସ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। ଶୁକ୍ରବାର ସୁଦ୍ଧା ଏଠାରେ ମୃତ୍ୟୁସଂଖ୍ୟା ୨,୭୮୮ ହୋଇଥିବା ସରକାରୀ ଭାବେ ଘୋଷଣା କରାଯାଇଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୭୮,୮୨୪ରେ ପହଞ୍ଚିଛି। ଚାଇନାର ପ୍ରାୟ ୩୧ଟି ଅଞ୍ଚଳରେ କରୋନା ଭାଇରସ ତା’ର କାୟା ବିସ୍ତାର କରିଛି। ସଂକ୍ରମିତଙ୍କ ମଧ୍ୟରୁ ୭,୯୫୨ଙ୍କ ଅବସ୍ଥା ଗୁରୁତର ଅଛି ବୋଲି କୁହାଯାଇଛି। ସେହିପରି ୩୬,୧୧୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସରକାର ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ଚାଇନାରେ ପ୍ରଥମ କରି କରୋନା ଭାଇରସ ଦେଖାଦେଇଥିବା ବେଳେ ଧୀରେ ଧୀରେ ଏହା ମାହାମାରୀର ରୂପ ନେଇଛି। ବିଶେଷ ଭାବେ ଉହାନ ସହର କରୋନା ଭାଇରସ ଯୋଗୁ ଜନଶୂନ୍ୟ ହୋଇଯାଇଛି କହିଲେ ଚଳେ। ଏବେ ଏହି କରୋନା ଭାଇରସ ବିଶ୍ୱର ପ୍ରାୟ ୪୫ ଦେଶକୁ ବ୍ୟାପିସାରିଲାଣି।

Share