କରୋନା ଭାଇରସ: ଘରେ ରହିବାକୁ ସମସ୍ତଙ୍କୁ ଅନୁରୋଧ କଲେ ବିଶ୍ୱର ସବୁଠାରୁ ଗେଡା ମହିଳା

ନାଗପୁର,୧୪।୪: କରୋନା ଭାଇରସକୁ ରୋକିବାକୁ ଏବେ ସାରା ଦେଶରେ ମେ’୩ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଇଛି। ତେଣୁ ଏହି ସମୟରେ ବାହାରେ ନ ବୁଲି ଘରେ ରହିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ବିଶ୍ୱର ସବୁଠାରୁ ଗେଡା ମହିଳା ଜ୍ୟୋତି ଆମଜେ। ପିଙ୍କ୍‌ କଲର ଟପ୍‌, ବ୍ଲାକ ବୁଟ୍‌ ସହ ମୁହଁରେ ମାସ୍କ ପିନ୍ଧିଥିବା ୬୨.୮ ସେଣ୍ଟିମିଟରର ମହିଳା ଜ୍ୟୋତି ସୋମବାର ମହାରାଷ୍ଟ୍ରରେ ଏକ ପୋଲିସ ଗାଡିର ବନେଟ ଉପରେ ଠିଆ ହୋଇ ମାଇକ୍‌ ଧରି ଲୋକଙ୍କୁ ଘରୁ ବାହାରକୁ ନ ବାହାରିବାକୁ ଅନୁରୋଧ କରୁଥିବା ଦେଖାଯାଇଛି। ଘରୁ ନ ବାହାରିଲେ ହିଁ ଆମେ କୋଭିଡ-୧୯କୁ ହରାଇପାରିବା ବୋଲି ସେ କହୁଥିବା ଦେଖାଯାଇଛି। ଜ୍ୟୋତିଙ୍କ ଏହି ଜନହିତକର ବାର୍ତ୍ତା ପ୍ରଚାର ସମୟରେ କେତେଜଣ ପୋଲିସ ତାଙ୍କୁ ସମର୍ଥନ କରୁଥିବା ଦେଖାଯାଇଥିଲା। ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ମହାରାଷ୍ଟ୍ରରେ ଏହା ଅଣାୟତ ହେବାରେ ଲାଗିଛି। ଏବେ ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ହଜାର ଅତିକ୍ରମ କରିଥିବାରୁ ଏହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

Share