କରୋନା ଭାଇରସର ଚିକିତ୍ସା ପଦ୍ଧତି ଖୋଜୁଥିବା ବିଶେଷଜ୍ଞଙ୍କ ସହ ଅଛନ୍ତି ମୂଳ ଭାରତୀୟ ଅରିଞ୍ଜୟ ବାନାର୍ଜୀ

ଟୋରୋଣ୍ଟୋ,୧୯।୩: କରୋନା ଭାଇରସ ଏବେ ପ୍ରାୟ ୧୬୦ ଦେଶକୁ ନିଜ କବଳକୁ ନେଇ ସାରିଥିବା ବେଳେ ଏବେ ଏଥିରେ ୮ ହଜାରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇ ସାରିଲାଣି। ବିଶ୍ୱରେ ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଏବେ କରୋନା ଭାଇରସରେ ସଂକ୍ରମିତ ଥିବା ମଧ୍ୟ ଜଣାପଡିଛି। ଏହି ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ପ୍ରାୟ ସବୁ ଦେଶର ବିଶେଷଜ୍ଞମାନେ ଗବେଷଣା ଜାରି ରଖିଛନ୍ତି। କାନାଡାର ଯେଉଁ ବିଶେଷଜ୍ଞମାନେ କରୋନା ଭାଇରସକୁ ନେଇ ଗବେଷଣା କରୁଛନ୍ତି ସେମାନଙ୍କ ମଧ୍ୟରେ ଜଣେ ମୂଳ ଭାରତୀୟ ବାସିନ୍ଦା ଅରିଞ୍ଜୟ ବାନାର୍ଜୀ ଥିବା ଜଣାପଡିଛି। ୟୁନିଭର୍ସିଟି ଅଫ୍‌ ଟୋରୋଣ୍ଟୋ ଓ ମ୍ୟାକମାଷ୍ଟର ୟୁନିଭର୍ସିଟିର ଗବେଷକଙ୍କ ଏକ ଟିମ୍‌ କରୋନା ଭାଇରସକୁ ନେଇ ଗବେଷଣା କରୁଛନ୍ତି। ଏମାନେ କରୋନା ଭାଇରସକୁ ଏବେ ଅଲଗା ବା ଆଇସୋଲେଟ କରିବାକୁ ସକ୍ଷମ ହୋଇଥିବାରୁ ଏହାକୁ କୋଭିଡ-୧୯ କୁହଯାଉଛି ବୋଲି ସେମାନେ କୁହନ୍ତି। ତେଣୁ ଖୁବ୍‌ଶୀଘ୍ର ଏହାର ଚିକିତ୍ସା ପଦ୍ଧତି ବାହାରି ଯିବ ବୋଲି ବିଶେଷଜ୍ଞମାନେ ଆଶା ରଖିଛନ୍ତି। ଅରିଞ୍ଜୟ ବାନାର୍ଜୀ ମ୍ୟାକମାଷ୍ଟର ୟୁନିଭର୍ସିଟିର ଇନଷ୍ଟିଚ୍ୟୁଟ ଫର୍‌ ଇନ୍‌ଫେକ୍ସନ ଡିଜିଜ୍‌ ରିସର୍ଚ୍ଚରେ ପୋଷ୍ଟଡକ୍ଟୋରାଲ ଛାତ୍ର ଭାବେ ଗବେଷଣା କରୁଛନ୍ତି। ତେଣୁ କରୋନା ଭାଇରସରକୁ ନେଇ ଯେଉଁ ଗବେଷଣା କରାଯାଉଛି ସେହି ଟିମ୍‌ରେ ଅରିଞ୍ଜୟ ରହିଥିବା ଜଣାପଡିଛି।

Share