କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଇରାନରେ ଶୁକ୍ରବାର ପ୍ରାର୍ଥନା ବାତିଲ୍‌: ଇଟାଲିରେ ଦର୍ଶକଙ୍କୁ ଷ୍ଟାଡିୟମ୍‌ ଯିବା ମନା

ତେହରାନ,୬।୩: କରୋନା ଭାଇରସ୍‌ ଏବେ ମହମାରୀର ରୂପ ନେଇଥିବା ବେଳେ ବିଶ୍ୱର ଅଧିକାଂଶ ଦେଶରେ ନିଜର କାୟା ବିସ୍ତାର କରିସାରିଲାଣି। ଏହାକୁ ନେଇ ସାରା ଦେଶରେ ଆତଙ୍କ ସୃଷ୍ଟି ହୋଇଛି। ଏବେ ପର୍ଯ୍ୟନ୍ତ ଏହା ୮୧ ଦେଶକୁ ନିଜର ଶିକାର କରିସାରିଲାଣି। କରୋନା ଭାଇରସ୍‌ରେ ସଂକ୍ରମିତ ହୋଇ ୧୬ଟି ଦେଶରେ ଏବେ ପର୍ଯ୍ୟନ୍ତ ୩,୨୮୧ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଆଉ ଏଥିରେ ସଂକ୍ରମିତ ହୋଇ ରୋଗୀଙ୍କ ସଂଖ୍ୟା ୯୫,୭୦୦କୁ ଟପିଛି। କରୋନା ଭୟରେ ଲୋକମାନେ ଘରୁ ବାହାରି ପାରୁ ନ ଥିବା ବେଳେ ୨୯କୋଟି ପିଲା ସ୍କୁଲକୁ ଯାଇପାରୁ ନାହାନ୍ତି। ଅନ୍ୟପଟେ ଏହି ସଂକ୍ରମଣକୁ ରୋକିବା ପାଇଁ ଇରାନରେ ଶୁକ୍ରବାର ପ୍ରାର୍ଥନାକୁ ସରକାର ବାତିଲ କରିଦେଇଛନ୍ତି। କରୋନା ଭୟ ଯୋଗୁ ସରକାର ଜେଲରେ ବନ୍ଦୀ ଥିବା ୫୪ହଜାର କଏଦୀଙ୍କୁ କିଛି ସମୟ ପାଇଁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ କରୋନା ଭାଇରସ୍‌ ବିଷୟରେ ସୂଚନା ଦେବା ପାଇଁ ସରକାରଙ୍କ ପକ୍ଷରୁ ଏକ ଓ୍ବେସାଇଟ୍‌ ଓ ସ୍ବତନ୍ତ୍ର ହସ୍ପିଟାଲ ତିଆରି କରାଯାଇଥିବା ଜଣାପଡ଼ିଛି। ସେହିପରି ଇଟାଲିରେ ଏପ୍ରିଲ ୩ ପର୍ଯ୍ୟନ୍ତ ହେବାକୁ ଥିବା ସମସ୍ତ ଖେଳ ପ୍ରତିଯୋଗିତା ସମୟରେ ଦର୍ଶକଙ୍କୁ ଷ୍ଟାଡିୟମ୍‌ ଯିବାକୁ ସରକାର ବାରଣ କରିଛନ୍ତି। ଏଥିସହ ଦେଶର ସମସ୍ତ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକୁ ମାର୍ଚ୍ଚ ୧୫ ଯାଏ ବନ୍ଦ ରଖାଯାଇଛି। ଅପରପକ୍ଷେ କରୋନା ଭାଇରସ୍‌ ସଂକ୍ରମଣରୁ ବର୍ତ୍ତିବା ପାଇଁ ସରକାର ଚୁମ୍ବନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ବିଚାର କରୁଥିବା ଜଣାପଡ଼ିଛି।

Share