କରୋନା ବିଶ୍ୱ ଲାଗି ସତର୍କଘଣ୍ଟି

ଜେନିଭା,୧୯।୫: କରୋନା ଭାଇରସ୍‌ ବିଶ୍ୱ ଲାଗି ସତର୍କ ଘଣ୍ଟି ବୋଲି କହିଛନ୍ତି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌। ଏହି ମହାମାରୀ ବିରୋଧରେ ଲଢ଼ିବା ଲାଗି କାହା ପାଖରେ ଶକ୍ତି ନାହିଁ। ବିଭିନ୍ନ ଦେଶ ନିଜ ନିଜ ବଳରେ ଏହି ଯୁଦ୍ଧ ଲଢ଼ୁଛନ୍ତି। କରୋନାକୁ ପରାସ୍ତ କଲା ଭଳି ସାମର୍ଥ୍ୟ କାହାର ନାହିଁ। ଅତ୍ୟାଧୁନିକ କାରିଗରି ବିଦ୍ୟା ଓ ବୈଜ୍ଞାନିକ ଗବେଷଣା ସବୁ ଫେଲ୍‌ ମାରିଛି। କରୋନା ଏକପ୍ରକାର ଆମକୁ ମୁଣ୍ଡ ନୁଆଇଁବାକୁ ବାଧ୍ୟକରିଛି। ଏଭଳି ସ୍ଥିତିରେ ବିଶ୍ୱବାସୀ ଏକ ହୋଇ କାମ କରିବା ଉଚିତ୍‌ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ବୈଠକ ବେଳେ ଜାତିସଂଘ ମୁଖ୍ୟ ଏହା କହିଛନ୍ତି। ମହାମାରୀ ଆମକୁ ଅନେକ ଶିକ୍ଷା ଦେଇଛି। ଏହା କେବଳ ସ୍ବାସ୍ଥ୍ୟଗତ ସମସ୍ୟାକୁ ପଦାରେ ପକାଇନି ବରଂ ବିଶ୍ୱ ସଙ୍ଗଠନର ପାରିବାପଣିଆ, ଜଳବାୟୁ ସଂକଟ, ସାଇବର ସିକ୍ୟୁରିଟି, ପରମାଣୁ ନିରସ୍ତ୍ରୀକରଣ ଭଳି ଅନେକ ସମସ୍ୟାକୁ ପଦାରେ ପକାଇଛି। ଏବେ ଆମ ଗର୍ବ ଭାଙ୍ଗିଯାଇଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ କେତେକ ଦେଶ ସହଯୋଗ ନ କରିବା ପରିତାପର ବିଷୟ ବୋଲି ଗୁଟେରେସ୍‌ କହିଛନ୍ତି।
କେତେକ ଦେଶ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନର ଗାଇଡ୍‌ଲାଇନ୍‌କୁ ମାନୁନାହାନ୍ତି। ଭିନ୍ନ ଭିନ୍ନ ପନ୍ଥା ଅବଲମ୍ବନ କରିବାରୁ ସମସ୍ୟା ଦେଖାଦେଉଛି। ଫଳରେ ଭାଇରସ୍‌ ବିଶ୍ୱକୁ ବ୍ୟାପି ସହସ୍ରାଧିକ ଲୋକଙ୍କ ଜୀବନ ନେଇଛି। ତଥ୍ୟ ଲୁଚାଇବା, ବେଆଇନ ଭାବେ କେତେକ କାମ କରିବା ଫଳରେ ବିଶ୍ୱବାସୀ ସେଗୁଡ଼ିକର ପରିଣାମ ଭୋଗୁଛନ୍ତି। ଏଥିରେ ସୁଧାର ଆସିବା ଦରକାର। ଏବେ ଏଭଳି ସ୍ଥିତିରେ ସହଯୋଗର ହାତ ବଢ଼ାଇ ସମସ୍ତେ ଏକ ହେବା ଜରୁରୀ। ମହାମାରୀକୁ ଦୂରକରିବା ସହ ସାମାଜିକ, ଆର୍ଥତ୍କ ସ୍ଥିତିରେ ସୁଧାର ଆଣିବା ଲାଗି ମିଳିମିଶି କାର୍ଯ୍ୟକରିବା ଉପରେ ଗୁଟେରେସ୍‌ ଜୋର୍‌ ଦେଇଛନ୍ତି। ସାମାଜିକ ସୁରକ୍ଷା, ପାଣିପାଗ ସମସ୍ୟାର ସୁଧାର ଉପରେ ଗୁରୁତ୍ୱ ଦେବାକୁ ସେ ମତ ଦେଇଛନ୍ତି। ଭବିଷ୍ୟତକୁ ସରସ ଓ ସୁନ୍ଦର ଭାବେ ଗଢ଼ିତୋଳିବାକୁ ହେଲେ ସମାନତା, ସହଭାଗିତା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯିବା ଦରକାର। ନ ହେଲେ କରୋନା ଗର୍ବ ଓ ଅହଂକାର ସବୁକିଛି ଲୋପ କରିଦେବ ବୋଲି ସେ ସତର୍କ କରି କହିଛନ୍ତି।

Share