କରୋନା ବିରୋଧରେ ଜାରି ରହିଥିବା ଲଢ଼େଇରେ ସହାୟତାର ହାତ ବଢ଼ାଇଲେ ବିକି

ମୁମ୍ବାଇ: ଭାରତରେ ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ସଂକ୍ରମଣ ବ୍ୟାପିବାରୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। କରୋନା ଭାଇରସ୍‌ ବା କୋଭିଡ-୧୯ ବିରୋଧରେ ଜାରି ରହିଥିବା ଲଢ଼େଇରେ ଶିଳ୍ପପତିଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ଓ ଜଣାଶୁଣା ବ୍ୟକ୍ତିତ୍ୱ ସହାୟତାର ହାତ ବଢ଼ାଇଛନ୍ତି। ଇତିମଧ୍ୟରେ ବଲିଉଡ୍‌ ଅଭିନେତା ବିକି କୌଶଳ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି। ପିଏମ୍‌ କେୟାର୍ସ ଫଣ୍ଡ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ବିକି ୧କୋଟି ଟଙ୍କା ଦାନ କରିଥିବା ଜଣାପଡ଼ିଛି। ମଙ୍ଗଳବାର ଏନେଇ ବିକି ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେବା ସହ କହିଛନ୍ତି, ସେ ବହୁ ଭାଗ୍ୟଶାଳୀ, କାରଣ ପରିବାର ଲୋକଙ୍କ ସହ ସମୟ ବିତାଇପାରୁଛନ୍ତି। ହେଲେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ଭାଗ୍ୟଶାଳୀ ନୁହଁନ୍ତି। ତେଣୁ ଏହି ଘଡିସନ୍ଧି ମୁହୂର୍ତ୍ତରେ ତାଙ୍କର କିଛି ଯୋଗଦାନ ଲୋକଙ୍କୁ ସହାୟତା ଯୋଗାଇଦେବ। କରୋନାକୁ ହରାଇବାକୁ ହେଲେ ସମସ୍ତେ ମିଳିମିଶି ଯାଥାସମ୍ଭବ ଉଦ୍ୟମ କରିବା ଉଚିତ ବୋଲି ବିକି କହିଛନ୍ତି।

Share