କରୋନା ବିଜୟୀଙ୍କ ପୁନର୍ବିବାହ

ଭୋପାଳ: ସେମାନେ ବିବାହିତ। ଢେର ଦିନର ଘରସଂସାର କରି ଏବେ ପରିଣତ ବୟସରେ। କିନ୍ତୁ ଏମିତି ଏକ ସମୟରେ ସେମାନେ ପୁଣି ଥରେ ବିବାହ କରିଛନ୍ତି। କାରଣ କରୋନା ପଜିଟିଭ୍‌ ହେବା ପରେ ସେମାନେ ସୁସ୍ଥ ହୋଇପାରିଛନ୍ତି। ଭୋପାଳରେ ଏମିତି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।
କରୋନା ଭାଇରସ୍‌କୁ ନେଇ ସମସ୍ତଙ୍କ ମନରେ ଏକ ପ୍ରକାର ଭୟ। ବୟସ୍କମାନଙ୍କୁ ଏହି ଭାଇରସ୍‌ ସଂକ୍ରମଣ ହେଲେ ସେଥିରୁ ମୁକୁଳିବା ସହଜ ନୁହେଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ତେଣୁ ପରିଣତ ବୟସରେ ଏହି ରୋଗରୁ ମୁକ୍ତି ପାଇବା ଅର୍ଥ ନୂଆ ଜୀବନ ଲାଭ କରିବା। ସେଥିପାଇଁ ତ ମଧ୍ୟପ୍ରଦେଶର ଏକ ଦମ୍ପତି କରୋନା ମୁକ୍ତ ହେବା ପରେ ପୁଣି ଥରେ ବିବାହ କରି ଖୁସି ମନାଇଛନ୍ତି।
ଏହି ଦମ୍ପତିଙ୍କ ଘର ଗୁରୁଗ୍ରାମର ଡାମୋହ ଅଞ୍ଚଳର ରସିଲପୁର ଗାଁରେ। ଏହି ଗାଁର ୬୪ ବର୍ଷୀୟ ଡକ୍ଟର ଦିବାକର ପଟେଲ ଏବଂ ତାଙ୍କର ୬୨ ବର୍ଷୀୟ ସ୍ତ୍ରୀ କରୋନା ପଜିଟିଭ ଥିଲେ। ଉଭୟ ଡାମୋହ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ। ତାଙ୍କ ସହ ଚିକିତ୍ସିତ ହେଉଥିବା ଅନ୍ୟମାନେ ମାତ୍ର ୧୦ ଦିନ ପରେ ଭଲ ହୋଇ ଘରକୁ ଫେରିଥିଲେ। କିନ୍ତୁ ତାଙ୍କୁ ବହୁଦିନ ଧରି ଡାକ୍ତରଖାନାରେ ରହିବାକୁ ପଡ଼ିଥିଲା। ଏମିତିକି ସେମାନେ ଭଲ ହେବେ କି ନାହିଁ ସେ ନେଇ ସେମାନଙ୍କର ସନ୍ଦେହ ସୃଷ୍ଟି ହୋଇଥିଲା। ଶେଷରେ ସେମାନେ ସୁସ୍ଥ ହୋଇଥିବା ଡାକ୍ତରମାନେ ସୂଚନା ଦେଇଥିଲେ। ଏହି ମାସ ୨ ତାରିଖରେ ସେମାନେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ଉଭୟ ଏକ ନୂଆ ଜୀବନ ପାଇଥିବା ମନେକରି ପୁଣି ଥରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ସେମାନଙ୍କ ଏଭଳି ପଦକ୍ଷେପ ଯୋଗୁ ସ୍ଥାନୀୟ ଲୋକେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share