କରୋନା ବଢ଼ାଉଛି ମାନସିକ ଯନ୍ତ୍ରଣା

ଜାତିସଂଘ,୧୫।୫: କରୋନା ମହାମାରୀ ଯୋଗୁ ମାନସିକ ଯନ୍ତ୍ରଣା ବୃଦ୍ଧି ପାଉଥିବା ନେଇ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ସତର୍କ କରାଇଦେଇଛନ୍ତି। ମାନସିକ ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ସରକାର, ସିଭିଲ୍‌ ସୋସାଇଟି ଏବଂ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନଙ୍କୁ ଆହ୍ବାନ ଦେଇଛନ୍ତି। ଏକ ଭିଡିଓ ବାର୍ତ୍ତାରେ ଜାତିସଂଘ ମୁଖ୍ୟ କହିଛନ୍ତି, ଦୀର୍ଘବର୍ଷ ଧରି ମାନସିକ ସ୍ବାସ୍ଥ୍ୟସେବାକୁ ଅବହେଳା କରାଯାଇଛି। ଏହି ସେକ୍ଟରରେ କ୍ୱଚିତ୍‌ ପୁଞ୍ଜିନିବେଶ ହେଉଛି। କୋଭିଡ୍‌-୧୯ ମହାମାରୀ ଏବେ ପରିବାର ଓ ଗୋଷ୍ଠୀ ଉପରେ ଅତିରିକ୍ତ ମାନସିକ ଚାପ ପକାଇଛି। ନିଜ ଲୋକଙ୍କୁ ହରାଇବାର ଦୁଃଖ, ଚାକିରି ହରାଇବାର ମାନସିକ ଆଘାତ, ଏକାନ୍ତବାସ ଓ ଯାତାୟାତ କ୍ଷେତ୍ରରେ କଟକଣା, ପରିବାର ଚଳାଇବାରେ କଷ୍ଟ ଏବଂ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଓ ଆଶଙ୍କା ଲୋକଙ୍କ ମାନସିକ ଚାପକୁ ବଢ଼ାଇଦେଇଛି।
କରୋନା ମହାମାରୀ ବିରୋଧରେ ଆଗଧାଡ଼ିରେ ଲଢ଼ୁଥିବା ସ୍ବାସ୍ଥ୍ୟସେବା କର୍ମଚାରୀ, ବୟସ୍କ ବ୍ୟକ୍ତି, କିଶୋର, ଯୁବକ, ପୂର୍ବରୁ ମାନସିକ ଅସୁସ୍ଥ ଥିବା ବ୍ୟକ୍ତି ଏବଂ ବିବାଦ ଓ ସଙ୍କଟର ସମ୍ମୁଖୀନ ହୋଇଥିବା ଲୋକଙ୍କ ପ୍ରତି ଅଧିକ ବିପଦ ରହିଛି। ସରକାରଙ୍କ କରୋନା ମୁକାବିଲା ପଦକ୍ଷେପରେ ମାନସିକ ସ୍ବାସ୍ଥ୍ୟସେବା ଗୁରୁତ୍ୱପୂର୍ଣ୍ଣ ଅଂଶ ହେବା ଆବଶ୍ୟକ ବୋଲି ଗୁଟେରେସ୍‌ କହିଛନ୍ତି। ଏଥିପାଇଁ ମାନସିକ ସ୍ବାସ୍ଥ୍ୟସେବା ସେକ୍ଟରର ସମ୍ପ୍ରସାରଣ ହେବା ସହ ଏଥିରେ ପୂର୍ଣ୍ଣ ପୁଞ୍ଜିନିବେଶର ଆବଶ୍ୟକତା ରହିଛି। ଏହାକୁ ପ୍ରାଥମିକତା ନ ଦେଲେ ସାରା ସମାଜକୁ ମାନସିକ ସ୍ବାସ୍ଥ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଜାତିସଂଘ ମୁଖ୍ୟ ସତର୍କ କରିଦେଇଛନ୍ତି।

Share