କରୋନା ଚିକିତ୍ସା: ପିପିଇ କିଟ୍‌-ମାସ୍କ୍‌ ପାଇଁ ନିଆଯାଉଛି ମୋଟ ହସ୍ପିଟାଲ ବିଲ୍‌ର ୫୦ ପ୍ରତିଶତ

ନୂଆଦିଲ୍ଲୀ,୩୦।୫: ଦେଶରେ କରୋନା ସଂକ୍ରମିତଙ୍କ ଚିକିତ୍ସା ନେଇ ନାନା ପ୍ରକାର ଅଭିଯୋଗ ଉଠିବାରେ ଲାଗିଛି। କେତେକ ଘରୋଇ ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ମୋଟ ବିଲ୍‌ର ୫୦ ପ୍ରତିଶତ କେବଳ ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ଲାଗି ନିଆଯାଉଥିବା ଅଭିଯୋଗ ହେଉଛି। ହସ୍ପିଟାଲ ବିଲ୍‌ରେ ଏଥିପାଇଁ ଏକ ଲକ୍ଷ ଟଙ୍କା ଯୋଡ଼ା ଯାଉଛି। ପୂର୍ବରୁ ଏଥିପାଇଁ ୧୦ ପ୍ରତିଶତ ଅର୍ଥ ହସ୍ପିଟାଲ ବିଲ୍‌ରେ ଯୋଡ଼ା ଯାଉଥିବାବେଳେ ଏବେ ଏହାକୁ ବୃଦ୍ଧି କରାଯାଇଥିବାରୁ ସାଧାରଣ ଲୋକେ ବହୁ ଅସୁବିଧାରେ ପଡୁଛନ୍ତି। ଅପରପକ୍ଷରେ ହସ୍ପିଟାଲ ବିଲ୍‌ରେ ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ଯୋଡ଼ା ଯାଇଥିବା ଟଙ୍କାକୁ ବୀମା କମ୍ପାନୀ ଦେଉନାହାଁନ୍ତି। ହସ୍ପିଟାଲ କର୍ମଚାରୀ ଗୋଟିଏ ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ପିନ୍ଧି ଏକାଧିକ ସଂକ୍ରମିତଙ୍କୁ ଚିକିତ୍ସା କରିଥାନ୍ତି। ତେବେ ଏଥି ପାଇଁ ପ୍ରତି ସଂକ୍ରମିତଙ୍କଠାରୁ ପୃଥକ୍‌ ପୃଥକ୍‌ ଭାବେ ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ଲାଗି ଟଙ୍କା ବିଲ୍‌ରେ ଯୋଡ଼ା ଯାଉଥିବା ଅଭିଯୋଗ ହେଉଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ୮୦ ହଜାର ଟଙ୍କା ବିଲ୍‌ ଦିଆଯାଇଛି। ସେଥିମଧ୍ୟରୁ ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ଲାଗି ଲକ୍ଷେ ୪୦ ହଜାର ଟଙ୍କା ଯୋଡ଼ା ଯାଇଛି। ସଂକ୍ରମିତ ଜଣକ ୧୯ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେହିପରି ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ ପକ୍ଷରୁ ୮୦ ହଜାର ଟଙ୍କା କେବଳ ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ପାଇଁ ବିଲ୍‌ରେ ଯୋଡ଼ା ଯାଇଥିବା ପରିବାର ବର୍ଗ କହିଛନ୍ତି। ପ୍ରଥମ ଦୁଇଦିନ ଏଥିପାଇଁ ଦିନ ପିଛା ୪,୩୦୦ଟଙ୍କା ଦାବି କରାଯାଇଥିବାବେଳେ ପରବର୍ତ୍ତୀ ଦିନଗୁଡ଼ିକରେ ପ୍ରତିଦିନ ଲାଗି ୮,୯୦୦ ଟଙ୍କା ଦେବାକୁ କୁହାଯାଇଥିଲା। ଚେନ୍ନାଇରେ ଜଣେ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିବା ସମୟରେ ହସ୍ପିଟାଲ ପକ୍ଷରୁ ତାଙ୍କଠାରୁ ୩୩,୦୦୦ଟଙ୍କା ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ଲାଗି ଦାବି କରାଯାଇଛି। କରୋନା ସଂକ୍ରମଣ ଯୋଗୁ ଚଳିତ ବର୍ଷ ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ସ୍ବାସ୍ଥ୍ୟ ବୀମା ପଲିସି ଧାରକଙ୍କ ସଂଖ୍ୟାରେ ୨୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି। ମାତ୍ର ବୀମା କମ୍ପାନୀଗୁଡ଼ିକ ପିପିଇ କିଟ୍‌ ଏବଂ ଏନ୍‌-୯୫ ମାସ୍କ୍‌ ଲାଗି ଟଙ୍କା ଦେବାକୁ ମନା କରିବାରୁ ପଲିସି ଧାରକଙ୍କୁ ମେଡ଼ିକାଲ ବିଲ୍‌ ପୈଠ କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା ଅଭିଯୋଗ ହୋଇଛି।

Share