କରୋନା ଗବେଷଣା ଲାଗି ଓଡ଼ିଶା କ୍ୟାଡର୍‌ ଆଇଏଏସ୍‌ ଅଧିକାରୀ ମନୋନୀତ

ନୂଆଦିଲ୍ଲୀ,୧୩ା୪(ସ୍ବ.ପ୍ର.): କୋଭିଡ୍‌-୧୯କୁ ନେଇ ବିଶ୍ୱସ୍ତରରେ ଗବେଷଣା ଆରମ୍ଭ ହୋଇଛି। ହାଭାର୍ଡ ବିଶ୍ୱବିଦ୍ୟାଳୟର ଟି.ଏ. ଚାନ୍‌ ସ୍କୁଲ ସର୍ବସାଧାରଣ ସ୍ବାସ୍ଥ୍ୟ ଅନ୍ତର୍ଗତ କରୋନା ମହାମାରୀ ଉପରେ ଗବେଷଣା ପାଇଁ ବିଶ୍ୱରୁ ଚୟନ କରିଥିବା କେତେଜଣ ଭେଷଜ ବିଜ୍ଞାନୀଙ୍କ ମଧ୍ୟରେ ଭାରତରୁ ସ୍ଥାନ ପାଇଛନ୍ତି ଓଡ଼ିଶା କ୍ୟାଡର ଆଇଏସ୍‌ ଅଧିକାରୀ ଡାକ୍ତର ମୃଣାଳିନୀ ଦର୍ସଓ୍ବାଲ।
୨୦୦୨ ବ୍ୟାଚ୍‌ର ଏହି ଓଡିଶା କ୍ୟାଡର ପ୍ରଶାସକ ଏବେ କରୋନା ସମ୍ପର୍କିତ କେତେକ ଆଲେଖ୍ୟ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପତ୍ରପତ୍ରିକାରେ ଲେଖିଛନ୍ତି। ଦର୍ସଓ୍ବାଲ ଦିଲ୍ଲୀ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ଔଷଧ ନିୟନ୍ତ୍ରକ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି। ପୂର୍ବରୁ ସେ ଓଡିଶାରେ ମାଲକାନଗିରିର ଏସ୍‌ଡିଏମ୍‌, ସମ୍ବଲପୁର, ନୟାଗଡ, ଢେଙ୍କାନାଳ, ନୂଆପଡ଼ା ଏବଂ କୋରାପୁଟର ଜିଲାପାଳ ଭାବେ କାର୍ଯ୍ୟ ସମ୍ପାଦନ କରିଛନ୍ତି । ସେ ଏବେ ଶିକ୍ଷାଛୁଟିରେ ରହି ଆମେରିକାର ଟେକ୍‌ସାସ୍‌ ବିଶ୍ୱବିଦ୍ୟାଳୟରେ ଅର୍ଥନୀତିରେ ସ୍ନାତକୋତ୍ତର ଅଧ୍ୟୟନ କରୁଛନ୍ତି। ଡାକ୍ତର ଦର୍ସଓ୍ବାଲ ଜମ୍ମୁ ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ରେ ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି। ଆଇଏଏସ୍‌ ପରୀକ୍ଷାରେ ୨୧ ତମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇ ସେ ଓଡ଼ିଶା କ୍ୟାଡରରେ ଯୋଗ ଦେଇଥିଲେ।

Share