କରୋନା ଖାଇଯିବ ୮.୮ ଟ୍ରିଲିୟନ ଡଲାର

ନୂଆଦିଲ୍ଲୀ,୧୬ା୫(ପି.ଟି.): କରୋନା ମହାମାରୀ ଯୋଗୁ ବିଶ୍ୱ ଅର୍ଥନୀତିକୁ ୫.୮ରୁ ୮.୮ ଟ୍ରିଲିୟନ ଡଲାର କ୍ଷତି ସହିବାକୁ ପଡ଼ିପାରେ ବୋଲି ଏସୀୟ ଉନ୍ନୟନ ବ୍ୟାଙ୍କ (ଏଡିବି) ପକ୍ଷରୁ ଆକଳନ କରାଯାଇଛି। ଏହା ବିଶ୍ୱ ଜିଡିପି (ମୋଟ ଘରୋଇ ଉତ୍ପାଦ)ର ୬.୪ରୁ ୯.୭ ପ୍ରତିଶତ। ସେଥିରୁ ଦକ୍ଷିଣ ଏସିଆର ଜିଡିପି ଉପରେ ୧୪୨ରୁ ୨୧୮ ବିଲିୟନ ଡଲାର ପର୍ଯ୍ୟନ୍ତ ପ୍ରଭାବ ପଡ଼ିବ ବୋଲି କୁହାଯାଇଛି।
ଏଡିବି ରିପୋର୍ଟ ଅନୁଯାୟୀ ଭାରତ, ପାକିସ୍ତାନ, ବାଂଲାଦେଶ ଭଳି ଦକ୍ଷିଣ ଏସୀୟ ଦେଶଗୁଡ଼ିକରେ କରୋନା ସଂକ୍ରମଣ ରୋକିବା ପାଇଁ କଡ଼ା କଟକଣା ଲାଗୁ କରାଯାଇଥିବାରୁ ଏହା ଜିଡିପିକୁ ପ୍ରଭାବିତ କରିବ। ଫଳରେ ଦକ୍ଷିଣ ଏସିଆରେ ଜିଡିପି ୩.୯ରୁ ୬.୦ ପ୍ରତିଶତ ହ୍ରାସ ପାଇବ ବୋଲି କୁହାଯାଇଛି। ମହାମାରୀ ପାଇଁ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ୩ ମାସରେ ୧.୭ ଟ୍ରିଲିୟନ ଡଲାର କ୍ଷତି ହେବାକୁ ଥିବାବେଳେ ୬ ମାସରେ ଏହା ୨.୫ ଟ୍ରିଲିୟନ ଡଲାରରେ ପହଞ୍ଚତ୍ବ ବୋଲି ମାନିଲାସ୍ଥିତ ଏଡିବି ମୁଖ୍ୟାଳୟ ପକ୍ଷରୁ ଆକଳନ କରାଯାଇଛି। ଏହା ବିଶ୍ୱର ମୋଟ କ୍ଷତି ପରିମାଣର ପାଖାପାଖି ୩୦ ପ୍ରତିଶତ। ଚାଇନା ୧.୧ରୁ ୧.୬ ଟ୍ରିଲିୟନ ଡଲାର କ୍ଷତିର ସମ୍ମୁଖୀନ ହୋଇପାରେ। ଗତ ଏପ୍ରିଲ ୩ରେ ପ୍ରକାଶିତ ଏସିଆନ ଡେଭେଲପମେଣ୍ଟ ଆଉଟଲୁକ୍‌ରେ କୋଭିଡ୍‌-୧୯ ଯୋଗୁ ବିଶ୍ୱକୁ ୨ରୁ ୪.୧ ଟ୍ରିଲିୟନ ଡଲାର କ୍ଷତି ସହିବାକୁ ପଡ଼ିବ ବୋଲି କୁହାଯାଇଥିଲା। ଏବେ ନୂଆ ଆକଳନ ଦୁଇଗୁଣରୁ ଅଧିକ ହୋଇଛି।
କରୋନା ଜନିତ ଆର୍ଥତ୍କ ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ବିଭିନ୍ନ ଦେଶର ସରକାରଙ୍କ ପକ୍ଷରୁ ତ୍ୱରିତ୍‌ ପଦକ୍ଷେପମାନ ଗ୍ରହଣ କରାଯାଉଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ବ୍ୟୟବରାଦ କରାଯିବା ସହ ଆୟ ଓ ରାଜସ୍ବ କ୍ଷତି ଭରଣା ଲାଗି ସିଧାସଳଖ ସହାୟତା ଯୋଗାଇଦିଆଯାଉଛି। ଏଭଳି ପଦକ୍ଷେପ ଯୋଗୁ କୋଭିଡ୍‌-୧୯ର ଆର୍ଥତ୍କ କ୍ଷତି ୩୦ରୁ ୪୦ ପ୍ରତିଶତ କମାଯାଇପାରିବ ବୋଲି ନୂଆ ରିପୋର୍ଟରେ କୁହାଯାଇଛି। ଫଳରେ ମହାମାରୀ ଯୋଗୁ ବିଶ୍ୱର ଆର୍ଥତ୍କ କ୍ଷତି ୪.୧ରୁ ୫.୪ ଟ୍ରିଲିୟନ ଡଲାରକୁ ହ୍ରାସ ପାଇବ ବୋଲି ଏଡିବି କହିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ଲକ୍ଷ ଟପିଥିବାବେଳେ ୯୬ଟି ପ୍ରଭାବିତ ଅର୍ଥନୀତିକୁ ବିଶ୍ଳେଷଣ କରି ଏଡିବି ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ମହାମାରୀ ଯୋଗୁ ପର୍ଯ୍ୟଟନ ଶିଳ୍ପ ସର୍ବାଧିକ କ୍ଷତିଗ୍ରସ୍ତ ହେବା ସହ ଲୋକଙ୍କ ବ୍ୟୟ କ୍ଷମତା ହ୍ରାସ ପାଇଛି। ପୁଞ୍ଜିନିବେଶ, ବାଣିଜ୍ୟଠାରୁ ଆରମ୍ଭ କରି ଉତ୍ପାଦନ ପର୍ଯ୍ୟନ୍ତ ସବୁ ପ୍ରଭାବିତ ହୋଇଛି।

Share