କରୋନା ଆଣ୍ଟିଜେନ୍‌ ଆଗରେ ହାର ମାନୁଛି ମନୁଷ୍ୟ ଶରୀରର ଆଣ୍ଟିବଡ଼ି !

ଓ୍ବାଶିଂଟନ,୨୩।୩: ମହାମାରୀ କରୋନା ପୃଥିବୀରେ ଆତଙ୍କ ସୃଷ୍ଟି କରିଛି। ଏହି ଭୂତାଣୁ ଶୀଘ୍ର ବ୍ୟାପୁଥିବାରୁ ଏହାକୁ ରୋକିବା ଅସମ୍ଭବ ହୋଇପଡ଼ିଛି। ଅନ୍ୟ ଭୂତାଣୁର ବ୍ୟାପିବା ବେଗ ଶୂନରୁ ୧ ପ୍ରତିଶତ ମଧ୍ୟରେ ଥିବାବେଳେ କରୋନା ୨.୮ ପ୍ରତିଶତ ବେଗରେ ବ୍ୟାପୁଥିବାରୁ ଆଧୁନିକ ଚିକିତ୍ସା ବିଜ୍ଞାନରେ ଉପଲବ୍ଧ କୌଣସି ଆଣ୍ଟିବାୟୋଟିକ୍ସ୍‌ ସଫଳ ହୋଇପାରୁ ନାହିଁ। କରୋନା ଭୂତାଣୁର ସଂରଚନାରେ ଏସ୍‌ ଏବଂ ଏଲ୍‌ ଆକାର ରହିଛି। ଚାଇନାରେ ୭୨ ପ୍ରତିଶତଙ୍କଠାରେ ଏସ୍‌ କରୋନା ଭୂତାଣୁ ଦେଖାଦେଇଥିବାବେଳେ କେବଳ ୨୯ ପ୍ରତିଶତଙ୍କଠାରେ ଏଲ୍‌ ଭୂତାଣୁ ଦେଖାଦେଇଥିବା ବିଶେଷଜ୍ଞ ସୂଚିତ କରିଛନ୍ତି। ଏସ୍‌ ସଂରଚନା ଥିବା କରୋନା ଭୂତାଣୁ ପ୍ରାଣୀଙ୍କଠାରୁ ମନୁଷ୍ୟ ଶରୀରକୁ ଆସିଥିବା ଅନୁମାନ କରାଯାଉଛି। ତେବେ ଏଲ୍‌ ସଂରଚନା ଥିବା ଭୂତାଣୁ ଅତି ଶୀଘ୍ର ବ୍ୟାପିବା ସହିତ ମହାମାରୀ ସୃଷ୍ଟି କରୁଥିବା କୁହାଯାଉଛି। ଭିନ୍ନ ଭିନ୍ନ ପରିବେଶରେ ଏଲ୍‌ ଭୂତାଣୁ ନିଜର କ୍ରିୟାଶୀଳତାକୁ ମଧ୍ୟ ପରିବର୍ତ୍ତିତ କରିପାରୁଥିବା ବିଶେଷଜ୍ଞମାନେ ମତ ଦେଇଥାନ୍ତି। ଫଳରେ ଏହାକୁ ରୋକିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ବିଶେଷ ସଫଳ ହୋଇପାରୁନାହିଁ। ମନୁଷ୍ୟ ଶରୀରରେ ଥିବା ରୋଗ ପ୍ରତିରୋଧକ ଶକ୍ତି ଏହାର ମୁକାବିଲା କରିବାକୁ ଅସମର୍ଥ ହେଉଛି। ଅର୍ଥାତ୍‌ ଶରୀରରେ ଥିବା ଆଣ୍ଟିବଡ଼ି କରୋନା ଆଣ୍ଟିଜେନ୍‌ ଆଗରେ ହାର ମାନୁଛି। ସେହିପରି ଜାପାନରେ ଏହାକୁ ରୋକିବା ଲାଗି ବ୍ୟବହାର କରାଯାଇଥିବା ଔଷଧ ଚାଇନା, ଇଟାଲି, ଆମେରିକାରେ ଉପଯୋଗୀ ସାବସ୍ତ୍ୟ ହୋଇ ପାରି ନାହିଁ।