କରୋନାରୁ ଆରୋଗ୍ୟ ହେଲେ ୧୦୧ ବର୍ଷୀୟ ବୃଦ୍ଧ

ରୋମ୍‌,୨୮।୩- କରୋନା ମହାମାରୀରେ ଇଟାଲୀ ସର୍ବାଧିକ ପ୍ରଭାବିତ ଦେଶ। ଏହି ଦେଶରେ କରୋନା ସଂକ୍ରମଣ ଯୋଗୁ ୯ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଏଥିରୁ କିନ୍ତୁ ଆରୋଗ୍ୟ ଲାଭ କରିଛନ୍ତି ଜଣେ ୧୦୧ ବର୍ଷୀୟ ବୃଦ୍ଧ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ଉପକୂଳବର୍ତ୍ତୀ ଇଟାଲୀ ସହର ରିମିନିର ମିଷ୍ଟର ପି ନାମକ ଏହି ବୃଦ୍ଧ କରୋନା ସଂକ୍ରମିତ ଥିବା ଜଣାପଡ଼ିବା ପରେ ଗତ ସପ୍ତାହେ ତଳେ ତାଙ୍କୁ ସେଠାକାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ସେ ସେଠାରେ ଚିକିତ୍ସିତ ହୋଇ ସୁସ୍ଥ ହୋଇଯାଇଥିବା ଜଣାପଡ଼ିଛି। ବୁଧବାର ପରିବାର ଲୋକେ ତାଙ୍କୁ ଘରକୁ ଆଣିଛନ୍ତି। ଏହି କରୋନା ଭାଇରସ୍‌ ଯୋଗୁ ପ୍ରାୟତଃ ୬୦ ବର୍ଷ ବୟସରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଜୀବନ ଯାଉଥିବାବେଳେ ମିଷ୍ଟର ପି’ଙ୍କ ଭଳି ଜଣେ ଶତାୟୁ ବ୍ୟକ୍ତି ଆରୋଗ୍ୟ ଲାଭ କରିବା ସେଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ମହାମାରୀରୁ ସୁସ୍ଥ ହେବା ପରେ ସେ ନିଜକୁ ଭାଗ୍ୟଶାଳୀ କହିବା ସହ ତାଙ୍କ ଭବିଷ୍ୟତ ଏହିଠାରେ ସ୍ଥିର ହୋଇଯାଇ ନାହିଁ ବୋଲି ପ୍ରକାଶ କରିଛନ୍ତି। ସୂଚନା ଥାଉକି, ମିଷ୍ଟର ପି ସ୍ପେନ ଫ୍ଲୁ ନାମକ ଆଉ ଏକ ମହାମାରୀରୁ ମଧ୍ୟ ବର୍ତ୍ତି ଯାଇଥିଲେ। ସେ ୧୯୧୯ରେ ଜନ୍ମଗ୍ରହଣ କରିଥିବାବେଳେ ସ୍ପେନ ଫ୍ଲୁ ୧୯୧୮ ମସିହାରୁ ଆରମ୍ଭ ହୋଇ ୧୯୨୦ ପର୍ଯ୍ୟନ୍ତ ଚାଲିଥିଲା।

Share