କରୋନାଭାଇରସ୍‌ ଭୟ: ଚାଇନାରୁ ଫେରିଥିବା ଅଧିକାରୀଙ୍କୁ ହତ୍ୟା

ପୋଙ୍ଗୟାଙ୍ଗ,୧୪।୨: ଉତ୍ତର କୋରିଆର ଶାସକ କିମ୍‌ ଜଙ୍ଗ ଉନ୍‌ଙ୍କ ଏକଛତ୍ରବାଦ ଶାସନ କଥା କିଏ ବା ନ ଜାଣେ। ଏଠାରେ ସାମାନ୍ୟ ଭୂଲ ପାଇଁ ମିଳିଥାଏ ମୃତ୍ୟୁଦଣ୍ଡ। ଗୋଟିଏ ପଟେ କରୋନାଭାଇରସ୍‌କୁ ନେଇ ସାରା ବିଶ୍ୱ ଏହାର ଚିକିତ୍ସା ଖୋଜିବାରେ ଲାଗିପଡ଼ିଛି ସେଠାରେ ଉତ୍ତର କୋରିଆ ସଂକ୍ରମିତ ପୀଡିତଙ୍କ ଉପରେ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, କରୋନାଭାଇରସ୍‌ ସଂକ୍ରମଣ ସନ୍ଦେହରେ ଉତ୍ତର କୋରିଆର ଜଣେ ଅଧିକାରୀଙ୍କୁ ଚାଇନାରୁ ଫେରିବା ପରେ ଆଇସୋଲେଶନ୍‌ ସେଣ୍ଟରରେ ପୃଥକ ରଖାଯାଇଥିଲା। କିନ୍ତୁ ଉକ୍ତ ଅଧିକାରୀ ଜଣଙ୍କ ଭୁଲରେ ସାର୍ବଜନୀନ ଶୌଚାଳୟକୁ ବ୍ୟବହାର କରିଦେଇଥିଲେ। ଏହାଦ୍ୱାରା କରୋନାଭାଇରସ୍‌ ବ୍ୟାପିବା ସମ୍ଭାବନା ଥିବାରୁ ତାଙ୍କୁ ଗିରଫ କରାଯାଇ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଥିଲା। ପୂର୍ବରୁ ଚାଇନା ଯାତ୍ରା ନେଇ ଜଣେ ବ୍ୟକ୍ତି ସରକାରଙ୍କୁ ଲୁଚାଇଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। କିମ୍‌ ଜଙ୍ଗ ତାଙ୍କୁ ଦେଶରୁ ବାହାର କରିଦେଇଥିବା ସୂଚନା ମିଳିଛି। ସୂଚନା ମୁତାବକ ସଂକ୍ରମିତ ଲୋକଙ୍କୁ ପୃଥକ୍‌ ରଖାଯାଇଥିବା ସ୍ଥାନରୁ ଯଦି କିଏ ବିନା ଅନୁମତିରେ ଯାଏ ତେବେ ସେନା ନିୟମ ଅନୁସାରେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଉତ୍ତର କୋରିଆର ମୁଖ୍ୟ କିମ୍‌ ଜଙ୍ଗ ନିର୍ଦ୍ଦେଶ ଦେଇଛନ୍ତି।

Share