Categories: ଜାତୀୟ

କରୋନାଭାଇରସରେ ଆକ୍ରାନ୍ତ ହୋଇଥିବା ଭାରତର ପ୍ରଥମ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର

ତିରୁଭାନନ୍ଥପୁରମ୍‌,୧୦।୨: କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଥିବା ଭାରତର ପ୍ରଥମ ମହିଳାଙ୍କ ସ୍ଥିତି ଏବେ ସୁଧୁରିବାରେ ଲାଗିଛି। ସେ ଏବେ ରୋଗମୁକ୍ତ ହେଉଥିବା ଜଣାପଡ଼ିଛି। ନିକଟରେ କେରଳସ୍ଥିତ ଜାତୀୟ ଭୁତାଣୁବାହକ ରୋଗ ଅନୁସଂନ୍ଧାନ ପ୍ରତିଷ୍ଠାନ (ଏନଆଇଭି)ରେ ତାଙ୍କର ରକ୍ତ ପରୀକ୍ଷା କରାଯାଇଥିଲା। ସେଠାରେ ତାଙ୍କର ରିପୋର୍ଟ ତାହା ନେଗେଟିଭ ଆସିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଚାଇନାର ଉହାନ ବିଶ୍ୱବିଦ୍ୟାଳୟରୁ ଫେରିଥିବା ମେଡିକାଲ ଛାତ୍ରୀଙ୍କ ମଧ୍ୟ କରୋନାଭାଇରସ୍‌ ଲକ୍ଷଣ ଦେଖାଯାଇଥିଲା। ଏହାପରେ ଜାନୁଆରି ୩୦ରେ ତାଙ୍କ ରକ୍ତରେ ମଧ୍ୟ କରୋନାଭାଇରସ ଥିବା ଜଣାପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ଅଲଗା ରଖାଯିବା ସହ ଉକ୍ତ ମେଡିକାଲ ଛାତ୍ରୀଙ୍କ ଚିକିତ୍ସା ତ୍ରିସୁର ମେଡିକାଲ କଲେଜରେ କରାଯାଉଛି। ତେବେ ତାଙ୍କର ଆଉ ଏକ ରକ୍ତ ନମୁନା ପୁଣେ ସ୍ଥିତ ଏନଆଇଭିକୁ ପଠାଯାଇଛି। ଏହି ରିପୋର୍ଟ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି।

Share