କରୋନାକୁ ହରାଇ ଘରକୁ ଫେରିଲେ ଯୁବକ

ପାଟନା,୧।୪: ସାରା ଦେଶରେ ମହାମାରୀ କରୋନା ଭାଇରସ୍‌ ଆତଙ୍କ ଖେଳାଇଥିବା ବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ବିହାରରୁ ଏକ ଖୁସିଖବର ସାମ୍ନାକୁ ଆସିଛି। ପାଟନାର ନାଳନ୍ଦା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ (ଏନ୍‌ଏମ୍‌ସିଏଚ୍‌)ରେ ଜଣେ କରୋନା ସଂକ୍ରମିତ ରୋଗୀ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଫାଲଓ୍ବାରି ଶରୀଫରେ ରହୁଥିବା ଜଣେ ଯୁବକ ନିକଟରେ ସ୍କଟଲାଣ୍ଡରୁ ଫେରିଥିଲେ। ତାଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦେବାରୁ ଯାଞ୍ଚ କରାଯାଇଥିଲା। ରିପୋର୍ଟରେ କରୋନା ପଜିଟିଭ୍‌ ଆସିବା ପରେ ମାର୍ଚ୍ଚ ୨୨ରେ ତାଙ୍କୁ ଏନ୍‌ଏମ୍‌ସିଏଚ୍‌ ହସ୍ପିଟାଲର ଆଇସୋଲେଶନ୍‌ ଓ୍ବାର୍ଡରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ନିୟମିତ ଚିକିତ୍ସା କରିବା ପରେ ୨ଥର ରକ୍ତ ନମୂନା ପରୀକ୍ଷା କରିଥିଲେ। ତେବେ ୨ଥର ଯାକ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିବା ପରେ ଡାକ୍ତର ତାଙ୍କୁ ଡିସଚାର୍ଜ କରିବାକୁ ନିଷ୍ପତ୍ତି ନେଇଥିଲେ। ବୁଧବାର ଉକ୍ତ ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ଘରକୁ ପଠାଇ ଦିଆଯାଇଥିଲା। ହେଲେ ୧୪ ଦିନ ପର୍ଯ୍ୟନ୍ତ ଘରେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସୂଚନା ମୁତାବକ ବିହାରରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩କୁ ପହଞ୍ଚିଛି।

Share