କରୋନାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ: କେଜରିଓ୍ବାଲ

ନୂଆଦିଲ୍ଲୀ,୩୦।୫: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଏହାକୁ ନେଇ ସରକାର କେତେ ପ୍ରସ୍ତୁତ ଅଛନ୍ତି ସେକଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଆଜି ସୂଚନା ଦେଇଛନ୍ତି। ସେ କହିଛନ୍ତି ଲକ୍‌ଡାଉନକୁ ଆମେ ସବୁଦିନ ପାଇଁ ରଖିପାରିବା ନାହିଁ। ଆଉ କେହି ମଧ୍ୟ କହି ପାରିବେ ନାହିଁ କରୋନା କେବେ ଶେଷ ହେବ ତେଣୁ ଆମକୁ ପରିସ୍ଥିତିକୁ ସାମାନ୍ୟ କରିବାକୁ ପଡିବ। କେଜରିଓ୍ବାଲଙ୍କ ମତରେ କରୋନା ସଂକ୍ରମଣ ବୃଦ୍ଧି ଚିନ୍ତାର ବିଷୟ। ହେଲେ ଏହାକୁ ନେଇ ଭୟଭୀତ ହେବା ଉଚିତ ନୁହେଁ। କରୋନା ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ। ଏବେ ଦିଲ୍ଲୀରେ ଯେତିକି ସଂକ୍ରମିତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଘରେ ଚିକିତ୍ସା ଚାଲୁଥିବା ବେଳେ ମାତ୍ର ୨,୧୦୦ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦିଲ୍ଲୀରେ କିଛିଦିନ ହେବ କରୋନା ସଂକ୍ରମଣରେ ବୃଦ୍ଧି ଘଟିଛି ଯାହାକୁ ଆମକୁ ସ୍ବୀକାର କରିବାକୁ ପଡିବ। ଗୁରୁବାର ସୁଦ୍ଧା ଦିଲ୍ଲୀରେ ୧୭,୩୮୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୭,୮୪୬ଜଣ ସୁସ୍ଥ ହୋଇଛନ୍ତି, ୯,୧୪୨ ଜଣଙ୍କ ଚିକିତ୍ସା ଚାଲିଛି ଓ ୩୯୮ ଜଣଙ୍କ ମୃତ୍ୟୁ ହୋଇଛି। ଏବେ କରୋନାର ସଂକ୍ରମଣକୁ ଦେଖି ଯେତିକି ଆବଶ୍ୟକ ତା’ଠାରୁ ଅଧିକ ସରକାର ପ୍ରସ୍ତୁତ ରହିଛନ୍ତି ବୋଲି କେଜରିଓ୍ବାଲ କହିଛନ୍ତି।

Share