କମ୍ପାନୀ ବିରୋଧରେ ଚାଲିଥିଲା ଅନଶନ: ୬୫ ଦିନରେ ଅନଶନକାରୀଙ୍କୁ ଉଠାଇଲା ପୋଲିସ

ଚମ୍ପୁଆ, ୨୧।୮(ଡି.ଏନ.ଏ)- ଦୀର୍ଘ ୬୫ଦିନରେ ପହଞ୍ଚିଥିବା ବଡକାଳିମାଟି ବାସୀଙ୍କ ଅନଶନକୁ ପୋଲିସ ମଙ୍ଗଳବାର ନାକାମ କରିବା ସହିତ ଅନଶନକାରୀଙ୍କୁ ଅନଶନସ୍ଥଳରୁ ଉଠାଇ ଘରକୁ ପଠାଇଦେଇଥିବା ଜଣାଯାଇଛି। ଚମ୍ପୁଆ ଏସଡିପିଓ ହରିହର ପାଣିଙ୍କ ତତ୍ତ୍ୱାବଧାନରେ ଅଇଆଇସି ମନୋରଞ୍ଜନ ପ୍ରଧାନ, ସବଇନ୍ସପେକ୍ଟର ପଦ୍ମାବତୀ କପାଟ, ସରୂପ ନାଏକ ପ୍ରମୁଖ ଏକ ପ୍ଲାଟୁନ ଫୋର୍ସ ଦ୍ୱାରା ଅନଶନକାରୀଙ୍କୁ ଉଠାଯାଇଥିଲା। ପୋଲିସ ଭ୍ୟାନରେ ଅନଶନକାରୀଙ୍କୁ ବସାଇ ବଡକାଳିମାଟିଠାରେ ଛଡାଯିବ ବୋଲି ଏସଡିପିଓ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଏସଆର କମ୍ପାନି ପ୍ରତିଷ୍ଠା ହେବା ସମୟରେ ସ୍ଥାନୀୟ ଅଞ୍ଚଳରେ ଜନସାଧାରଣଙ୍କ ନିମିତ ରାସ୍ତାଘାଟ, ପାନୀୟଜଳ, ଆଲୋକ ଓ ନିୟୁକ୍ତି ଆଦି ପ୍ରଦାନ କରିବାର ଦେଇଥିବା ପ୍ରତିଶ୍ରୁତି ପାଳନ କରୁ ନ ଥିବା ଅଭିଯୋଗ କରି ବଡକାଳିମାଟି ଗ୍ରାମବାସୀ ଜୁନ ୧୭ ମଧ୍ୟରାତ୍ରରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅନଶନରେ ବସିଥିଲେ। ମାତ୍ର ଚମ୍ପୁଆ ପୋଲିସ ଉକ୍ତ ସ୍ଥାନରେ୧୪୪ ଧାରା ଜାରିକରି ଅନଶନକାରୀଙ୍କୁ ସେଠାରୁ ଉଠାଇ ଚମ୍ପୁଆ ବସଷ୍ଟାଣ୍ଡ ନିକଟରେ ଛାଡି ଦେଇଥିଲେ । ହେଲେ ନିଜ ଜିଦରେ ଅଟଳ ଗ୍ରାମବାସୀ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନଶନ ଜାରି ରଖିବେ ବୋଲି ପ୍ରକାଶ କରି ବସଷ୍ଟାଣ୍ଡ ନିକଟ ଜାତୀୟ ରାଜପଥ କଡରେ ବସିରହିଥିଲେ। ମଙ୍ଗଳବାର ୧୨ଟାରେ ଚମ୍ପୁଆ ପୋଲିସ ଅନଶନକାରୀଙ୍କୁ ଉଠାଇବା ସହ ଅନଶନସ୍ଥଳକୁ ଭାଙ୍ଗିଦେଇଥିଲେ।