କମ୍ପାନୀ ଆଇନରେ ଆସିବ ସଂଶୋଧନ

ନୂଆଦିଲ୍ଲୀ,୧୮।୫: କମ୍ପାନୀ ଆଇନରେ ସଂଶୋଧନ ଆଣିବା ଲାଗି ସରକାର ଅଧ୍ୟାଦେଶ ଆଣିବେ। ଉକ୍ତ ଆଇନରେ ଥିବା ବିଭିନ୍ନ ଧାରାକୁ ଅପରାଧମୁକ୍ତ କରିବା, ଭାରତୀୟ କର୍ପୋରେଟଗୁଡ଼ିକୁ ସିଧାସଳଖ ବିଦେଶୀ ବଜାରରେ ଲିଷ୍ଟିଂ କରାଇବା ଏବଂ ଇଜ ଅଫ୍‌ ଡୁଇଁ ବିଜ୍‌ନେସକୁ ପ୍ରୋତ୍ସାହିତ କରିବା ଲାଗି ସରକାର ବିଭିନ୍ନ ପଦକ୍ଷେପ ହାତକୁ ନେବେ ବୋଲି ଜଣାପଡ଼ିଛି। ରବିବାର ଗଣମାଧ୍ୟମକୁ ସୂଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି ଯେ, ଭାରତୀୟ କମ୍ପାନୀଗୁଡ଼ିକ ସେମାନଙ୍କ ସିକ୍ୟୁରିଟିଜକୁ ବିଦେଶରେ ସିଧାସଳଖ ଲିଷ୍ଟିଂ କରାଇପାରିବେ। ଏହା ଏକ ବଡ଼ ପଦକ୍ଷେପ। ୨୦୧୩ରେ ଆସିଥିବା କମ୍ପାନୀ ଆଇନରେ ସଂଶୋଧନ ଆଣିବା ଲାଗି ସରକାର ପୂର୍ବରୁ ଯୋଜନା କରିଥିଲେ ମଧ୍ୟ ଏହା ବର୍ତ୍ତମାନ ପାର୍ଲାମେଣ୍ଟରେ ପାସ୍‌ ହୋଇପାରିନାହିଁ। ଏହି ଆଇନକୁ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ କରାଯାଉଛି।
କମ୍ପାନୀ ଆଇନରେ ରହିଥିବା ବିଭିନ୍ନ ନିୟମର ଅବମାନନାରେ ସାମାନ୍ୟ ତ୍ରୁଟି ରହିଲେ ଏହାକୁ ଅପରାଧମୁକ୍ତ କରିବା ନେଇ ଯୋଜନା ରଖାଯାଇଛି। ଏହା ମଧ୍ୟରେ ସିଏସ୍‌ଆର୍‌ ରିପୋର୍ଟିଂ, ଅପର୍ଯ୍ୟାପ୍ତ ବୋର୍ଡ ରିପୋର୍ଟ, ଫାଇଲିଂରେ ଖିଲାପ କରିବା, ଏଜିଏମ୍‌ ଡକାଇବାରେ ବିଳମ୍ବ ଭଳି କେତେକ ପ୍ରସଙ୍ଗ ସାମିଲ ରହିଛି। ଅତି ଗୁରୁତ୍ୱପୂର୍ଣ୍ଣ ଧାରାଗୁଡ଼ିକୁ ଆନ୍ତଃ ଆଡଜୁଡିକେଶନ ମେକାନିଜିମ ପରିସରଭୁକ୍ତ କରାଯିବ। ଏ କ୍ଷେତ୍ରରେ ଆଞ୍ଚଳିକ ନିର୍ଦ୍ଦେଶକଙ୍କ କ୍ଷମତା ପରିସରକୁ ମଧ୍ୟ ବଢ଼ାଇବା ଦିଗରେ ପଦକ୍ଷେପ ନିଆଯିବ।

Share