Categories: ଜାତୀୟ

କମିଶନି ଫେରାଇବାକୁ କହି ଅଡୁଆରେ ମମତା

କୋଲକାତା,୨୪ା୬: ୨୦୧୧ରୁ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ହିତାଧିକାରୀଙ୍କୁ ଶୋଷଣ କରି ଆଦାୟ କରିଥିବା କମିଶନ ଅର୍ଥ ଫେରାଇଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳୀୟ ନେତା ଓ ସବୁ ସ୍ତରର ଲୋକପ୍ରତିନିଧିଙ୍କୁ ନିର୍ଦ୍ଦେଶ ଦେଇ ଦୁର୍ନୀତିର ଭାନୁମତି ପେଡ଼ି ଖୋଲିଦେଇଛନ୍ତି। ଲୋକ ସଭା ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହ ଯାହା ଅଭିଯୋଗ କରିଥିଲେ, ମମତା ତାହାକୁ ସ୍ବୀକାର କରିନେଇଛନ୍ତି। ଟିଏମ୍‌ସି ନେତାମାନେ ଭୂମିହୀନ ଚାଷୀଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ ପର୍ଯ୍ୟନ୍ତ ହଜାର ହଜାର ଲୋକଙ୍କୁ ଶୋଷଣ କରିଥିବା ଭାଜପା ଅଭିଯୋଗ କରିଥିଲା। ୨୦୨୦ ପୌର ନିର୍ବାଚନ ଓ ୨୦୨୧ ବିଧାନସଭା ନିର୍ବାଚନରେ ଟିଏମ୍‌ସି ଏହାର ଗୁରୁତର ପରିଣାମ ଭୋଗିବ ବୋଲି ବିରୋଧୀ ନେତା ଓ ରାଜନୈତିକ ସମୀକ୍ଷକମାନେ ଅନୁଭବ କରୁଛନ୍ତି।
ଗତ ୧୮ ତାରିଖରେ କୋଲକାତା ମହାନଗର ନିଗମର ନେତାମାନଙ୍କୁ ଉଦ୍‌ବୋଧନ ଦେଇ ମମତା କହିଥିଲେ, ଯେଉଁମାନେ ସାଧାରଣ ଜନତାଙ୍କଠାରୁ କମିଶନି ନେଇଛନ୍ତି, ସେମାନଙ୍କୁ ତୁରନ୍ତ ଫେରାଇବାକୁ ହେବ। ଟିଏମ୍‌ସିର କେତେକ ନେତା ମଲା ଲୋକଙ୍କୁ ବି ଛାଡିନାହାନ୍ତି। ମୃତଦେହ ସତ୍କାର ପାଇଁ ଗରିବ ପରିବାରକୁ ସରକାର ଦେଉଥିବା ୨୦୦୦ ଟଙ୍କାରୁ ଟିଏମ୍‌ସି ନେତା ୨୦୦ ଟଙ୍କା କମିଶନି ନେଇଯାଉଛନ୍ତି ବୋଲି ମମତା କହିଥିଲେ। ୧୯ ତାରିଖରେ ମାଲଦା ଜିଲାର ରାଟୁରାଠାରେ ଗଣବିକ୍ଷୋଭ ପରେ ନିର୍ମଳ ବଙ୍ଗଳା ପ୍ରକଳ୍ପ ପାଣ୍ଠିରୁ ୧ କୋଟି ହଡପ କରିଥିବା ଅଭିଯୋଗରେ ପୂର୍ବତନ ସରପଞ୍ଚ ସୁକେଶ ଯାଦବ, ସରକାରୀ କର୍ମଚାରୀ ପ୍ରମୋଦ କୁମାର ସର୍କାରଙ୍କୁ ପୋଲିସ ଗିରଫ କରିଥିଲା। ଏବେ ସାରା ରାଜ୍ୟରୁ ଦୁର୍ନୀତି ଅଭିଯୋଗମାନ ଆସିବାରେ ଲାଗିଛି ଓ ପ୍ରତିଦିନ ବିଭିନ୍ନ ଜିଲାରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ପଞ୍ଚାୟତ ଓ୍ବାର୍ଡମେମ୍ବରଠାରୁ ଆରମ୍ଭ କରି ରାଜ୍ୟ ସଭା ସଦସ୍ୟ ପର୍ଯ୍ୟନ୍ତ ଏଥିରେ ସମ୍ପୃକ୍ତ। ଦୁର୍ନୀତି ଅଭିଯୋଗରେ ରାଜପୁର-ସୋନାରପୁର ମ୍ୟୁନିସିପାଲିଟିର ଉପାଧ୍ୟକ୍ଷ ଶାନ୍ତା ସର୍କାରଙ୍କୁ ଟିଏମ୍‌ସି ବିଦା କରିଛି।

Share