Categories: ଜାତୀୟ

କନୌଜ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୋଦି, ରାହୁଲ

କନୌଜ,୧୧।୧: ଉତ୍ତରପ୍ରଦେଶ କନୌଜ ଜିଲାରେ ଶୁକ୍ରବାର ରାତିରେ ଏକ ଘରୋଇ ଡବଲ ଡେକର ବସ୍‌ ସହ ଟ୍ରକ୍‌ ମୁହାଁମୁହିଁ ଦୁର୍ଘଟଣାରୁ ୨ଟି ଗାଡିରେ ନିଆଁ ଲାଗିଯାଇଥିଲା। ଏଥିରେ ୨୦ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ୨୫ ଆହତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ଶନିବାର ସକାଳେ ମୋଦି ଟୁଇଟ କରି କନୌଜରେ ହୋଇଥିବା ଭୟଙ୍କର ସଡ଼କ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସେହିପରି ଏହି ଦୁର୍ଘଟଣାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇ ଆହତଙ୍କ ଶୀଘ୍ର ସୁସ୍ଥ କାମନା କରିଛନ୍ତି। ସେହିଭଳି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଓ ବିଏସ୍‌ପି ସୁପ୍ରିମୋ ମାୟାବତୀ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରି ପୀଡ଼ିତ ପରିବାର ଓ ଯାତ୍ରୀଙ୍କୁ ଯଥାସମ୍ଭବ ସହାୟତା ଯୋଗାଇଦେବା ପାଇଁ ନିବେଦନ କରିଛନ୍ତି। ଅପରପକ୍ଷେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘନ କୁହୁଡି ଯୋଗୁ ଏହି ଦୁର୍ଘଟଣା ଘଟିଲା ବୋଲି କହିଛନ୍ତି। ସରକାରଙ୍କ ପକ୍ଷରୁ ପ୍ରତି ମୃତକଙ୍କ ପରିବାରବର୍ଗଙ୍କୁ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ହଜାର ଟଙ୍କା ସହାୟତା ରାଶି ଦିଆଯିବ ବୋଲି ଜଣାପଡ଼ିଛି।

Share