କଥା ‘କାଉ’ର…

ରାତି ପାହିଲାଣି ରାବଇ କାଉ…ଉଠ ଉଠ ମଠ ନ କର ଆଉ…। ଦିନେ ଏହି ଧାଡ଼ି ପିଲାମାନେ କେବଳ ପଢୁ ନ ଥିଲେ, ପିଲାଙ୍କ ଦୈନନ୍ଦିନ ଜୀବନର ଏହା ଥିଲା ଏକ ଅଂଶ। ହେଲେ ଆଜି ଅଧିକାଂଶ ପିଲାଙ୍କ ପାଇଁ ଏହି କଥାର ଅର୍ଥ ଏବେ କିଛି ନାହିଁ। ତାଙ୍କ ପାଇଁ କାଉ କେବଳ ବହିର ଚିତ୍ରରେ ସିମୀତ..
”ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ… “। ବହିରେ ଲେଖାଥିବା ଏହି ଗୀତ ଶୁଣିଲେ ମନ ପୁଲକିତ ହୋଇଥାଏ। କାଉର ରାବ ଶୁଣି ଶିଶୁଟି ବି ଶୀତୁଆ ନିଦରୁ ଉଠିଯାଇଥାଏ। ହେଲେ ଆଜିକାଲି ଗଁାରେ ବି ଆଗଭଳି ସକାଳେ ଆଉ କାଉର କା କା ରାବ ଶୁଭୁନି। ତେବେ କାଉ କେବଳ ଆମ ଗାଁ ଗହଳିରେ ନୁହେଁ ସାରା ପୃଥିବୀରେ ଦେଖିବାକୁ ମିଳିଥାଏ।
ଅନେକ ନାମରେ କାଉ: କା, କା, ବୋଲି ସେ ରାବିବାରୁ ତାକୁ କାଉ ବା କାକ ବୋଲି କୁହାଯାଇଛି। ଓଡ଼ିଆରେ ‘କାଉ’ ସଂସ୍କୃତରେ ‘କାକ’ ଓ ହିନ୍ଦୀରେ ‘କୱା’ ଓ ଇଂଲିଶରେ ‘କ୍ରୋ’ ବୋଲି କୁହାଯାଏ। ଘରୁଆ କାଉର ଇଂଲିଶ ନାମ ହେଉଛି ‘ହାଉସ କ୍ରୋ’ ଏବଂ ଏମାନଙ୍କର ବୈଜ୍ଞାନିକ ନାମ ହେଉଛି ‘କର୍ଭସ ସ୍ପେନ୍‌ ଡେନ୍ସ। ଡାମରା କାଉକୁ ଇଂଲିଶରେ ‘ଜଙ୍ଗଲ କ୍ରୋ’ କୁହାଯାଏ ମାତ୍ର ଏମାନଙ୍କର ବୈଜ୍ଞାନିକ ନାମ ହେଉଛି ”କର୍ଭସ୍‌ ମାଇ କ୍ରୋହିଙ୍ଗ୍‌ସ୍‌“। ଗୋଟିଏ ଗୋଟିଏ ଗଛରେ ଶହ ଶହ ସଂଖ୍ୟାର କାଉମାନେ ବସା ବାନ୍ଧି ରହିଥିବାର ଦେଖାଯାଏ। ସକାଳୁ ସକାଳୁ ଏମାନେ ଖାଦ୍ୟ ଅନ୍ବେଷଣରେ ଦଳଦଳ ହୋଇ ବାହାରି ଯାଆନ୍ତି ଓ ସନ୍ଧ୍ୟା ବେଳକୁ ଦଳ ଦଳ ହୋଇ ଫେରି ଆସିଥାନ୍ତି। ଖାଦ୍ୟ ଅନ୍ବେଷଣରେ ଏମାନେ ପ୍ରାୟ ୩୦ ମାଇଲ ରାସ୍ତା ଅତିକ୍ରମ କରିଥାନ୍ତି। କାଉ ଉଡ଼ି ଯାଉଥିବା ବେଳେ ପ୍ରତି ସେକେଣ୍ଡରେ ମାତ୍ର ଦଇଥର ପକ୍ଷକୁ ବାଡ଼େଇଥାଏ – ଅଧିକ ଥର ନୁହେଁ।
ଦକ୍ଷିଣ ମେରୁ, ଉତ୍ତର ମେରୁ, ଦକ୍ଷିଣ ଆମେରିକାର ଦକ୍ଷିଣ ଅଂଶ, ପ୍ରଶାନ୍ତ ମହାସାଗରର କେତେକ ଦ୍ୱୀପକୁ ବାଦ ଦେଲେ ପୃଥିବୀର ଚାରିଆଡ଼େ ଏମାନେ ଦେଖାଯାଆନ୍ତି। ନିଉଜିଲାଣ୍ଡରେ ପୂର୍ବରୁ କାଉ ନ ଥିଲେ। ପରେ ବଣିକମାନେ ଆରବର ପ୍ରାଚ୍ୟ ଜଗତରୁ କାଉକୁ ନେଇ ମେସୋପଟାମିଆ, ସିରିଆ ପ୍ରଭୃତି ଅଞ୍ଚଳରେ ବିକ୍ରି କରିବା ଫଳରେ ସେଠାରେ ତାଙ୍କର ବଂଶ ବୃଦ୍ଧି ପାଇଥିଲା। ସାରା ପୃଥିବୀରେ ପ୍ରାୟ ୪୦ଟି ପ୍ରଜାତିର କାଉ ଦେଖାଯାଉଥିବାବେଳେ ଭାରତରେ ସାଧାରଣତଃ ୨ଟି ପ୍ରଜାତିର କାଉ ଅଛନ୍ତି। ଡାମରା କାଉ ଓ କୁଜି କାଉ। ଡାମରା କାଉ ଚିକ୍‌କଣ କଳା। ଏମାନଙ୍କର ରାବ ମୋଟା, କର୍କଶ। ମାତ୍ର କୁଜି କାଉ ବେକ ଟିକିଏ ପାଉଁଶିଆ ରଙ୍ଗର ହୋଇଥାଏ। ବିଭିନ୍ନ ଅଞ୍ଚଳରେ ଏହି କାଉମାନଙ୍କର ଆକାର ଛୋଟ ବଡ଼ ଥାଏ। ଉତ୍ତର ଆମେରିକାରେ କେତେକ ପ୍ରଜାତିର କାଉ ଅଛନ୍ତି ଯେକି ସମୁଦ୍ର କୂଳେ କୂଳେ ରହନ୍ତି ଓ ସେମାନଙ୍କୁ ‘ମାଛ କାଉ’ ବୋଲି କୁହାଯାଏ।
ସଂଖ୍ୟା ଜ୍ଞାନ ଥାଏ କାଉଙ୍କର: କାଉ ମଧ୍ୟ ମଣିଷର ସ୍ବରକୁ ନକଲ କରିପାରନ୍ତି। ଏକ ଠାରୁ ଛଅ ପର୍ଯ୍ୟନ୍ତ ସେମାନେ ଠିକ୍‌ ଠିକ୍‌ ଗଣି ପାରିଥାନ୍ତି। କାଉମାନେ ସାଧାରଣତଃ ୧୩/୧୪ ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ଥାନ୍ତି। ବଡ଼ ପିଞ୍ଜରାରେ ଯତ୍ନର ସହକାରେ ରଖିଲେ କାଉମାନେ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚତ୍ଥାନ୍ତି। ଯେଉଁ କାଉର ଆଖି ପିଙ୍ଗଳ ଓ ନୀଳବର୍ଣ୍ଣ, ସ୍ବର ତୀକ୍ଷ୍‌ଣ, ବୀର ସ୍ବଭାବ ସେ କାଉ ହେଲା ‘କ୍ଷତ୍ରିୟ’ ଶ୍ରେଣୀର। ଯେଉଁ କାଉର ଚଞ୍ଚୁ ଇଷତ୍‌ ନୀଳବର୍ଣ୍ଣ, ସ୍ବର କର୍କଶ ନୁହେଁ ସେ ‘ବୈଶ୍ୟ’ ଶ୍ରେଣୀର। ଯେଉଁ କାଉର ବର୍ଣ୍ଣ ପାଉଁଶିଆ, ସ୍ବର ରୁକ୍ଷ, ଅଙ୍ଗ ଚିକ୍‌କଣ ଏବଂ ଗତି ଚପଳ ସେ କାଉ ‘ଶୂଦ୍ର’ ଶ୍ରେଣୀର। ଯେଉଁ କାଉ ଦୀର୍ଘ ଦେହୀ, ଦୃଢ଼ସ୍ବର, ଦୀର୍ଘ ତୁଣ୍ଡି ତାକୁ ‘ବିପ୍ର’ ଶ୍ରେଣୀର କାଉ ବୋଲି କୁହାଯାଇଥାଏ।
ଯେଉଁଠି କାଉ ସୌଭାଗ୍ୟର ପ୍ରତୀକ: ଖୁବ୍‌ ଉପକାରୀ ହେଲେ ମଧ୍ୟ କାଉର ଆଦର ଟିକେ କମ୍‌। କିନ୍ତୁ ଚାରମିନାର ସିଟିରେ କାଉ ପ୍ରତି ଆଦର ଢେର ବେଶି। କାଉକୁ ସେଠାକାର ଲୋକମାନେ ସୌଭାଗ୍ୟଦାୟକ ପକ୍ଷୀ ବୋଲି ବିବେଚନା କରନ୍ତି। ସେମାନଙ୍କ ଧାରଣା ଯେ, କାଉଟିକୁ ଉଡ଼ାଇଦେଲେ ତା’ ସହ ଦୁର୍ଭାଗ୍ୟ ଉଡ଼ିଯାଏ, ଜୀବନରେ ଭଲ ସମୟ ଆସିଥାଏ। ଏହି ଚାରମିନାର ସିଟିରେ କାଉ ଗୋଟିକୁ ୧୫୦ ରୁ ୨୦୦ ଟଙ୍କାରେ ବିକ୍ରି ହୋଇଥାଏ। ଯେଉଁ କାଉର ବେକ ତଳେ ଧଳା ଦାଗ ଥାଏ ସେମାନଙ୍କୁ ଉଡ଼ାଇ ଦେଲେ ଭାଗ୍ୟ ଖୋଲିଯାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। ଲୋକମାନେ କାଉ କିଣିବା ପରେ ସେଇଠି ତାକୁ ଉଡ଼ାଇ ଦିଅନ୍ତି କିମ୍ବା ଘରକୁ ନେଇ ଘରର ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଦ୍ୱାରା ଉଡ଼ାଇଥାନ୍ତି। ରୋଗଗ୍ରସ୍ତ ବ୍ୟକ୍ତି କାଉ ଉଡ଼ାଇବା ପରେ ରୋଗ ଉପଶମ ହୋଇଯାଏ ବୋଲି ଲୋକେ ବିଶ୍ୱାସ କରନ୍ତି। କୁଦୃଷ୍ଟିରୁ ରକ୍ଷା ପାଇବା ତଥା ଗହଣା ବେପାର ମାନ୍ଦା ପଡ଼ିଗଲେ ବ୍ୟବସାୟୀମାନେ ମଧ୍ୟ କାଉ ଉଡ଼ାଇ ଦେଇଥାଆନ୍ତି। ଏଥିରେ ବେପାର ଭଲ ଚାଲେ ବୋଲି ସେମାନଙ୍କର ମତ। ମଙ୍ଗଳବାର ଓ ଅମାବାସ୍ୟାରେ କାଉ ଉଡ଼ାଇଲେ ଅଧିକ ଶୁଭ ହୋଇଥାଏ ବୋଲି ସେମାନଙ୍କର ବିଶ୍ୱାସ ରହିଛି।
ରାବରୁ ମିଳେ ସୂଚନା: ଆଗରୁ ମୁନିଋଷିମାନେ କାଉର ସ୍ବରରୁ ବିଭିନ୍ନ ସୂଚନା ଦେଉଥିଲେ। ଯେମିତିକି କାଉ ଶାନ୍ତ ସ୍ବରରେ ରାବିଲେ ତାହା ଶୁଭ ସୂଚନା ଦେଇଥାଏ। ତେଜିୟାନ ଦିଶୁଥିବା କାଉ ବୀରତ୍ୱର ସୂଚନା ଦିଏ।
ଶାନ୍ତ ବା ସ୍ଥିର ହୋଇ ବସି କାଉ ଦୀପ୍ତ ସ୍ବରରେ ମଧୁର ଭାବରେ ରାବିଲେ ସମସ୍ତ ବାଧାବିଘ୍ନକୁ ନିର୍ମୂଳ କରି କାର୍ଯ୍ୟ ସିଦ୍ଧ ହୁଏ। କାଉ ଯଦି କର୍କଶ ସ୍ବରରେ ରାବକଲା ଯେଉଁ କାମ କରିବାକୁ ଯାଉଥିବ ତାହା ହେବନାହିଁ। କାଉ ଯଦି ସୂର୍ଯ୍ୟଙ୍କ ଉଦୟ ସମୟରେ ପୂର୍ବଦିଗରେ ଉତ୍ତମ ସ୍ଥାନରେ ରହି ରାବ ଦେବ ତାକୁ ଶୁଣୁଥିବା ଲୋକର ସମସ୍ତ ଅମଙ୍ଗଳ ମଙ୍ଗଳରେ ପରିଣତ ହୁଏ। ପ୍ରଭାତରେ ଦକ୍ଷିଣ ଦିଗରେ ଦୀର୍ଘ ସ୍ବରରେ ଯଦି କାଉ ରାବିଲା ଶୁଣିବା ଲୋକ ଦୁଃଖ ଭୋଗ କରିଥାଏ, ତାକୁ ରୋଗ ହୁଏ।
ଘରର ଚାଳ କିମ୍ବା ଛାତ ଉପରେ କାଉ ରାବିଲେ ଘରଣୀ କହିଥାଏ, ଉଡ଼ି ଗଲୁ, ଉଡ଼ି ଗଲୁ, କୁଣିଆ କିଏ ଆସୁଛି କି? ଯଦି କାଉଟି ଉଡ଼ିଯାଏ ସେ ଅନୁମାନ କରିଥାଏ ଯେ, ଜଣେ କିଏ ଆଗନ୍ତୁକ ଆସୁଛି। ଦୁଇ ମୁଠା ଚାଉଳ ରଖି ଦେଇ ଆସି ଦେଖିବ ଯଦି ପ୍ରଥମେ କାଉ ଖୁଜାଏ ନେଇ ଉଡ଼ିଗଲା ସେଥିରୁ ସତେ ଯେପରି ଜଣାପଡ଼ିଥାଏ ବିଦେଶରୁ ଚିଠି ଆସୁଛି କି ନାହିଁ କାଉ ଜାଣିଛି।
ଶକୁନ ଶାସ୍ତ୍ର ଅନୁସାରେ, କାଉର କିଛି ଇଶାରା ଆମ ପାଇଁ ଶୁଭ ହୋଇଥିବା ବେଳେ ଆଉ କିଛି ଅଶୁଭ। ଏଥିପାଇଁ ଯଦି କେବେ କାଉ ଦେଖନ୍ତି ବା ରାବ ଶୁଣନ୍ତି ତେବେ ତାହାକୁ ଗୁରୁତ୍ୱହୀନ ମନେ କରିବେନି। କେଉଁଠି ଯଦି ବହୁ ସଂଖ୍ୟାରେ କାଉ ଏକାଠି ହୋଇ ରାବୁଥାନ୍ତି ତେବେ ସେଠାରେ ବିପତ୍ତି ଆସିବାର ସୂଚନା ମିଳେ। ଘର ଉପରେ କାଉ ପଲ ଏକାଠି ରାବୁଥିଲେ ଘର ମାଲିକଙ୍କ ଉପରେ ବିପଦ ରହିଛି ବୋଲି ଜାଣିବେ। ମହିଳାଙ୍କ ଶରୀରରେ କାଉ ହଠାତ୍‌ ବସିଗଲେ ତାଙ୍କ ସ୍ବାମୀ ଗୁରୁତର ସଙ୍କଟର ସମ୍ମୁଖୀନ ହୋଇଥାନ୍ତି। ଯାତ୍ରାରେ ବାହାରିଥିବା ସମୟରେ ହଠାତ୍‌ କାଉ ସାମନାକୁ ଆସି ରାବି ଚାଲିଗଲେ କାର୍ଯ୍ୟ ସଂପୂର୍ଣ୍ଣ ହେବାର ସୂଚନା ମିଳେ। ଯଦି କାଉ ଉପର ମୁହଁା ହୋଇ ଡେଣା ଝାଡ଼ି କର୍କଶ ସ୍ବରରେ ରଡ଼ୁଛି ତେବେ ତାହା ମୃତ୍ୟୁର ସୂଚନା ଦିଏ। ଉଡ଼ୁଥିବା କାଉ ଯଦି କାହା ଶରୀର ଉପରେ ବସିଯାଏ ସେ ବ୍ୟକ୍ତି ରୋଗଗ୍ରସ୍ତ ହେବା ସହ ବହୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। କାଉ ମୃତ ଜୀବର ଅସ୍ଥି ଧରି ଉଡ଼ିଯାଉଥିବା ବେଳେ ଯଦି ତାହାକୁ ବ୍ୟକ୍ତିର ମୁଣ୍ଡ ଉପରେ ପକାଇଦିଏ ତେବେ ତାଙ୍କ ଉପରେ ପ୍ରବଳ ସଙ୍କଟ ଆସୁଥିବାର ସୂଚନା ମିଳେ। କାଉ ପାଣି ଭର୍ତ୍ତି ମାଠିଆ ବା ପାତ୍ର ଉପରେ ଯଦି ବସିଥିବାର ଦେଖନ୍ତି ତେବେ ଧନ ସଂପତ୍ତି ବୃଦ୍ଧି ଯୋଗ ରହିଛି ବୋଲି ଜାଣିବେ। ରୁଟି ଖଣ୍ଡେ ବା ମାଂସ ଆଦି କାଉ ଥଣ୍ଟରେ ଧରି ଉଡ଼ିଯିବାର ଦେଖିଲେ ଆପଣଙ୍କର ପ୍ରତ୍ୟେକ ଇଚ୍ଛା ବା କାମନା ପୂର୍ଣ୍ଣ ହେବ। ଗଛ ଉପରେ ବସି ଶାନ୍ତ ସ୍ବରରେ ଯଦି କାଉ ରାବୁଥାଏ ତେବେ ଶୁଭ ଖବର ପାଇବେ। ପୂର୍ବ ପୁରୁଷଙ୍କୁ ଶ୍ରାଦ୍ଧ ଦେବା ସମୟରେ ହିନ୍ଦୁମାନେ କାଉଙ୍କୁ ଖାଇବାକୁ ଦେଇଥାନ୍ତି। କାଉଙ୍କୁ ନେଇ ହିନ୍ଦୁ ଶାସ୍ତ୍ରରେ ଅନେକ ଶୁଭ ଓ ଅଶୁଭ ଖବର ଉଲ୍ଲେଖ ରହିଛି। ଦକ୍ଷିଣ ପଶ୍ଚିମ ଦିଗରୁ ସନ୍ଧ୍ୟା ସମୟରେ ଯଦି କାଉଟିଏ ଆସେ  ତେବେ ଏହା ଆସନ୍ନ ବିପଦ ଓ ବିପର୍ଯ୍ୟୟର ସୂଚନା ମିଳିଥାଏ। ଯଦି କୁଆ ଦକ୍ଷିଣ-ପୂର୍ବ ବା ଅଗ୍ନି କୋଣରୁ ଆସେ ତେବେ ଆର୍ଥତ୍କ ଲାଭ ହେବ। ଏଭଳି କୁଆକୁ ନେଇ ଅନେକ ତଥ୍ୟ ରହିଛି।
ବମ୍ବେ ଠାରୁ ୬୦ କି.ମି. ଥାନେ ଜିଲାର ସବୁଠାରୁ ଜନାକୀର୍ଣ୍ଣ ସହର ଦୋମ୍ବିଭିଲିଠାରୁ ହାରାହାରି ୫ କି.ମି. ଦୂରରେ ଅବସ୍ଥିତ ଉମ୍ବାର୍ଲି ଗ୍ରାମଟି ‘କାଉଙ୍କ ଗ୍ରାମ’ ବୋଲି ଆଖପାଖ ଗ୍ରାମଗୁଡ଼ିକରେ ପରିଚିତ। ଏକ ପାହାଡ଼ ଉପରେ ଅବସ୍ଥିତ ଏହି ଗ୍ରାମଟିରେ ବହୁ ସଂଖ୍ୟକ ଆମ୍ବ, ବର ଓ ଅଶ୍ୱତ୍ଥ ଗଛ ରହିଛି। କାଉମାନଙ୍କ ଆସ୍ଥାନ ପାଇଁ ଏଗୁଡ଼ିକୁ ଯଥେଷ୍ଟ ସହାୟକ ହୋଇଥାନ୍ତି। ସକାଳ ହେବା ମାତ୍ରେ କାଉମାନେ ଖାଦ୍ୟ ଅନ୍ବେଷଣରେ ଦଳ ଦଳ ହୋଇ ବିଭିନ୍ନ ଅଞ୍ଚଳକୁ ଉଡ଼ିଯାଇଥାନ୍ତି। ରାତି ହେବାମାତ୍ରେ ଉମ୍ବାଲି ଗ୍ରାମଟି କାଉମାନଙ୍କ  ଆଗମନରେ ମହାନଗରୀ ଭଳି ପ୍ରବଳ ଗହଳି ପରିଲକ୍ଷିତ ହୋଇଥାଏ। କାଉମାନଙ୍କ ଭିଡ଼ରେ ପରିସ୍ଥିତି ଏପରି ହୋଇଥାଏ ଯେ, କେତେକଙ୍କୁ ବାଧ୍ୟ ହୋଇ ଭୂମି ଉପରେ ଶୋଇବାକୁ ପଡ଼ିଥାଏ। ଗ୍ରାମଟିରେ ଅତିବେଶିରେ ୫ ଶହ ଲୋକ ବାସ କରନ୍ତି। ସେମାନେ ପକ୍ଷୀମାନଙ୍କର କୌଣସି କ୍ଷତି ନ କରି ବରଂ ସେମାନଙ୍କୁ ଶ୍ରଦ୍ଧା କରିଥାନ୍ତି। ଗ୍ରାମଟିରେ କାଉମାନେ ଶହ ଶହ ବର୍ଷଧରି ବାସ କରି ଆସୁଛନ୍ତି। ଯଦିଓ ଗ୍ରାମରେ ଦିନବେଳା କାଉମାନଙ୍କୁ ଦେଖିବାକୁ ମିଳି ନ ଥାଏ, ତେବେ ଯେଉଁ ଅଳ୍ପ କିଛି କାଉ ଗ୍ରାମରେ ଥାଆନ୍ତି ସେମାନେ ଗ୍ରାମବାସୀଙ୍କ ପ୍ରତି କୌଣସି ବିଶୃଙ୍ଖଳା ସୃଷ୍ଟି କରି ନ ଥାନ୍ତି। କାଉମାନେ କୌଣସି ଖାଦ୍ୟଶସ୍ୟ କିମ୍ବା ଫସଲରେ କ୍ଷତି ପହଞ୍ଚାଇ ନ ଥାନ୍ତି। ସତେ ଅବା ମନୁଷ୍ୟ ଓ କାଉମାନଙ୍କ ମଧ୍ୟରେ କୌଣସି ଗୋପନ ବୁଝାମଣା ହୋଇଛି।
ଏବେ କିନ୍ତୁ କାଉଙ୍କ ବଂଶ ଦିନକୁ ଦିନ ଲୋପ ପାଇବାରେ ଲାଗିଛି। ବିପଦରେ କାଉ ବଂଶ କାଳାତିପାତ କରୁଥିବା ଜଣାଯାଏ। କୁଆଙ୍କ ଉଭାନ ପଛରେ ବାସଗୃହର ଅଭାବ, କୀଟନାଶକ ଭଳି ରାସାୟନିକ ଦ୍ରବ୍ୟର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି। ବଡ଼ ବଡ଼ ଗଛ ଲୋପ ପାଇବା ଦ୍ୱାରା କୁଆମାନେ ତାଙ୍କ ବାସଗୃହ ହରାଇ ବସିଛନ୍ତି। ବର୍ତ୍ତମାନ ଯେଉଁ କିଛି କାଉ ରହିଛନ୍ତି ସେମାନେ ସକାଳେ ରାବିବା ବଦଳରେ ମଧ୍ୟ ରାତିରେ କା’ କା’ ରଡ଼ି ଛାଡ଼ୁଛନ୍ତି। ମାନବ ସମାଜ ପାଇଁ ଏହା ଏକ ଦୁଃଖ ଖବର। ପ୍ରଦୂଷିତ, ବିଷାକ୍ତ ଓ ଅସୁରକ୍ଷିତ ପରିବେଶ ପାଇଁ କୁଆ ବଂଶ ବିଲୋପ ହେବାକୁ ବସିଛି। ଗତ ୫ ବର୍ଷ ଭିତରେ ୪୧୩ ନିୟୁତ ପକ୍ଷୀଙ୍କୁ ହରାଇଛୁ ବୋଲି ଅନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ଜଣାପଡ଼ିଛି। ୧୦ ହଜାର ପ୍ରଜାତିର ପକ୍ଷୀ ବର୍ତ୍ତମାନ ବିପନ୍ନ। ଯେଉଁମାନଙ୍କ ମଧ୍ୟରୁ ୧ ହଜାର ୨ ଶହ ଲୋପ ପାଇବା ଉପରେ ଏବଂ ୧୯୦ ପ୍ରଜାତି ଲୋପ ପାଇସାରିଲେଣି। ଜୀବ ଜଗତ ସମ୍ପୂର୍ଣ୍ଣ ଲୋପ ପାଇବାର ଅଶୁଭ ସୂଚନା ଏଥିରୁ ମିଳୁଛି। କାଉମାନଙ୍କ ଭଳି ପକ୍ଷୀଙ୍କ ରାବରୁ ବର୍ଷା ହେବ କି ନାହିଁ ପୂର୍ବସୂଚନା ମିଳିଥାଏ ବୋଲି ପ୍ରବାଦ ରହିଛି। ହିନ୍ଦୁ ଧର୍ମରେ କାଉ ରୂପରେ ଆମର ପୂର୍ବ ପୁରୁଷ ଆସନ୍ତି ବୋଲି ବିଶ୍ୱାସ ରହିଛି। ବୁଦ୍ଧିଆ ପକ୍ଷୀଙ୍କ ଭିତରେ କାଉ କେବେହେଲେ ଏକୁଟିଆ ଖାଏନାହିଁ। ସେମାନେ ତାଙ୍କ ସାଙ୍ଗସାଥୀଙ୍କୁ ଏକାଠି ଖାଇବା ପାଇଁ ଡାକନ୍ତି। ସେମାନେ ବିଭିନ୍ନ ସାଧନ ବ୍ୟବହାର କରନ୍ତି। ନିଜ ଶାବକଙ୍କୁ ସୁରକ୍ଷା ଦିଅନ୍ତି। ଏକ ସାମାଜିକ ପରିବେଶରେ ବାସ କରନ୍ତି। କେହି ପ୍ରିୟଜନ ମରିଗଲେ ମଣିଷଙ୍କ ପରି ଶୋକ କରନ୍ତି।  କାଉ ବଂଶକୁ ବୃଦ୍ଧି କରିବାକୁ ହେଲେ ବଡ଼ ବଡ଼ ଗଛ ଲଗାଇବାକୁ ପଡ଼ିବ। ୧୯୯୯ ମହାବାତ୍ୟା ପରଠାରୁ ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ପୁରୀ, କଟକ, ଗଞ୍ଜାମ ଆଦି ଦିଲ୍ଲାରୁ କିଛି ପରିମାଣରେ କାଉ ବଂଶ ଲୋପ ପାଇଥିବା ଜଣାଯାଏ। କାଉ ବଂଶ ବୃଦ୍ଧି କରିବାକୁ ହେଲେ ଜନ ସଚେତନତାର ଆବଶ୍ୟକତା ରହିଛି।
୧୬/୪, ଟାଇପ୍‌-୪ବି, ୟୁନିଟ୍‌-୩, ଭୁବନେଶ୍ୱର
ମୋ. :୯୩୩୭୩୬୨୩୮୩