କଥା କହିବାକୁ ଲାଗେ ଡର; ଜାଣନ୍ତୁ ଏହାର ରହସ୍ୟ…

ନୂଆଦିଲ୍ଲୀ: କେତେକ ଲୋକଙ୍କଠାରେ ଏକ ପ୍ରକାର ସମସ୍ୟା ରହିଥାଏ। ସେମାନେ ସମବେତ ଲୋକଙ୍କ ସମ୍ମୁଖରେ କଥା କହିବାକୁ ଭୟ କରନ୍ତି। କିଛି ଲୋକ ନିଜର ପ୍ରଦର୍ଶନ ନେଇ ଅକ୍ଷମତା ପ୍ରକାଶ କରିଥାନ୍ତି। କାଳେ କହିବା ବେଳେ କିଛି ଭୁଲ୍‌ ହୋଇଯିବ ସେ ନେଇ ଏଭଳି ଲୋକଙ୍କର ଚିନ୍ତା ବଢ଼ିବାରେ ଲାଗିଥାଏ। ଏହାକୁ ଗ୍ଲାସୋଫୋବିଆ କୁହାଯାଇଥାଏ। ଆମେରିକାରେ ପ୍ରତି ୧୦ ଜଣ ଲୋକଙ୍କ ମଧ୍ୟରେ ୪ ଜଣଙ୍କଠାରେ ଏଭଳି ସମସ୍ୟା ଦୃଷ୍ଟି ଗୋଚର ହୋଇଥାଏ। ସମବେତ ଲୋକଙ୍କୁ ଦେଖିଲେ ଏଭଳି ସମସ୍ୟା ଥିବା ବ୍ୟକ୍ତିଙ୍କ ମସ୍ତିଷ୍କ କ୍ରିୟାଶୀଳ ହୋଇଥାଏ। ଫଳରେ ଶରୀରରେ ଆଡ୍ରେନାଲିନ୍‌ ଏବଂ ଷ୍ଟେରୋଏଡ୍‌ କ୍ଷରଣ ମାତ୍ରା ବଢ଼ିଯାଏ। ଏହାଯୋଗୁ ରକ୍ତଶର୍କରା ଏବଂ ଶକ୍ତିସ୍ତର ବୃଦ୍ଧି ପାଏ। ଏହାର ପ୍ରଭାବରେ ହାର୍ଟବିଟ୍‌ ବଢ଼ିବାରେ ଲାଗେ। ଦେହରୁ ଝାଳ ବୋହିବା ସହିତ ଧଇଁସଇଁ ସ୍ଥିତି ସୃଷ୍ଟି ହୋଇଥାଏ। ଡାକ୍ତରଙ୍କ ସହିତ ଆଲୋଚନା କରି ଔଷଧ ଖାଇବା ସହିତ ଲୋକଙ୍କ ମଧ୍ୟରେ ମିଳାମିଶା ବଢ଼ାଇଲେ ଏହି ସମସ୍ୟା ଧୀରେଧୀରେ କମି ଯାଇଥାଏ ବୋଲି ନ୍ୟାସନାଲ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ମେଣ୍ଟାଲ ହେଲଥ୍‌ ପକ୍ଷରୁ ପ୍ରକାଶିତ ପତ୍ରିକାରେ ପ୍ରକାଶ ପାଇଛି।