କଣ୍ଟାବାଞ୍ଜି ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢ଼ାଉ: ୭ ଜୁଆଡ଼ି ଗିରଫ: ୯୫ ହଜାର ୪୮୫ ଟଙ୍କା ଜବତ

କଣ୍ଟାବାଞ୍ଜି,୧୦।୬(ଡି.ଏନ୍‌.ଏ.): ବଲାଙ୍ଗୀର ପୋଲିସ ଅଧୀକ୍ଷକ ସନ୍ଦିପ ସମ୍ପଦ ମଡକରଙ୍କ ନିର୍ଦ୍ଦେଶ କ୍ରମେ ମଙ୍ଗଳବାର ରାତିରେ କଣ୍ଟାବାଞ୍ଜିର ଏକ ଜୁଆ ଆଡ୍ଡାରେ ପୋଲିସ ଅଚାନକ ଚଢ଼ାଉ କରିଥିଲା। ଏଥିରେ ୭ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହିତ ୭ଟି ମୋବାଇଲ ଫୋନ୍‌, ନଗଦ ୯୫,୪୮୫ ଟଙ୍କା, ୨୧୩ଟି ତାସ ଜବତ ହୋଇଛି । ବୁଧବାର ସକାଳେ ସ୍ଥାନୀୟ ଥାନା ପରିସରରେ ଏକ ଖବରଦାତା ସମ୍ମିଳନୀରେ ସ୍ଥାନୀୟ ଏସ୍‌ଡିପିଓ ସରୋଜ କୁମାର ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ହେଲେ ଅନିଲ କୁମାର ଅଗ୍ରୱାଲ, ବିଜୟ ଅଗ୍ରୱାଲ, ଶଙ୍କର ଅଗ୍ରୱାଲ, ନବୀନ ଗୋଏଲ, ରାକେଶ ଅଗ୍ରୱାଲ, ମହେଶ ଅଗ୍ରୱାଲ, ଅଶୋକ ବଂଶଲ।
ସୂଚନାନୁଯାୟୀ, ମଙ୍ଗଳବାର ରାତିରେ ପର୍ଶୁରାମ ଛକ ନିକଟରେ ଏକ ଘରେ ଜୁଆ ଖେଳାଯାଉଥିବା ପୋଲିସ ଏସ୍‌ପିଙ୍କୁ ଖବର ଯାଇଥିଲା । ଏହା ପରେ ଏସ୍‌ପି ମଡକରଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଡିପିଓ ମହାପାତ୍ର ଆଇଆଇସି ସତ୍ୟଜିତ କାଣ୍ଡେଲକର, ସବ୍‌ ଇନ୍ସପେକ୍ଟର ପ୍ରଦୀପ କୁମାର ଗୁରିଆ ପ୍ରମୁଖ ଅତର୍କିତ ଚଢ଼ାଉ କରିଥିଲେ । ଅଭିଯୁକ୍ତଙ୍କୁ ଗିରଫ ପରେ ବୁଧବାର କଣ୍ଟାବାଞ୍ଜି ଥାନାରେ କେସ ନଂ. ୧୩୩/୨୦ରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।