Categories: ଖେଳ

କଠିନ ପରିସ୍ଥିତିର ସମ୍ମୁଖୀନ ହେବାରେ ସିଏସ୍‌କେ ମୋତେ ସାହାଯ୍ୟ କରିଛି: ଧୋନୀ

ଚେନ୍ନାଇ,୪ା୩(ପି.ଟି.)- ଜଣେ ସଫଳ ଖେଳାଳି ଓ କଠିନ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଫ୍ରାଞ୍ଚାଇଜ୍‌କୁ ଶ୍ରେୟ ଦେଇଛନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଫ୍ରାଞ୍ଚାଇଜ କ୍ୟାପ୍‌ଟେନ ମହେନ୍ଦ୍ର ସିଂ ଧୋନୀ। ସେ ଗତବର୍ଷ ଆଇସିସି ବିଶ୍ୱକପ୍‌ଠାରୁ ଖେଳରୁ ଦୂରେଇ ରହିଛନ୍ତି। ଆଇପିଏଲ ପାଇଁ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛନ୍ତି। ଏହି ଅବସରରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ମିଳିଥିଲା। ସିଏସ୍‌କେ ଯୋଗୁ ମୁଁ ସବୁକିଛିରେ ଉନ୍ନତି ଆଣିଛି। କେବଳ ଜଣେ କ୍ରିକେଟର ଭାବେ ଉନ୍ନତି କରିଛି ତା ନୁହେଁ, ଜଣେ ମଣିଷ ଭାବେ ମଧ୍ୟ। ଫିଲ୍ଡ ବାହାରେ ହେଉ କି ଭିତରେ କଠିନ ପରିସ୍ଥିତିର ସମ୍ମୁଖୀନ ହେବାରେ ଏହି ଫ୍ରାଞ୍ଚାଇଜ ସାହାଯ୍ୟ କରିଛି ବୋଲି ୩୮ ବର୍ଷୀୟ ଧୋନୀ ପ୍ରସାରଣକାରୀ ଚ୍ୟାନେଲରେ କହିଛନ୍ତି। ତାଙ୍କୁ ସର୍ବଦା ସିଏସ୍‌କେ ଫ୍ୟାନ୍‌ମାନେ ଥାଲା ବୋଲି ଅଭିହିତ କରନ୍ତି। ଏହାର କାରଣ ମଧ୍ୟ ସେ ପ୍ରକାଶ କରିଛନ୍ତି। ସାଧାରଣ ‘ଥାଲା’ର ଅର୍ଥ ଭାଇ। ଏହା ମୋତେ ପ୍ରଶଂସକଙ୍କ ସହ ଯୋଡ଼ିଥାଏ। ମୋ ପ୍ରତି ପ୍ରଂଶସକଙ୍କ ପ୍ରେମ ଓ ସ୍ନେହକୁ ଥାଲା ଶବ୍ଦ ଦର୍ଶାଏ। ମୁଁ ଯେତେବେଳେ ବି ଚେନ୍ନାଇ କିମ୍ବା ଦକ୍ଷିଣ ଭାରତ ଯାଏ, ସେମାନେ ମୋତେ କଦାପି ଧୋନୀ ନ ଡାକି ଥାଲା ବୋଲି ଡାକ ନ୍ତି।

Share