Categories: ଜାତୀୟ

କଙ୍ଗାରୁ କୋର୍ଟର ବିଚିତ୍ର ନିଷ୍ପତ୍ତି: ପୀଡ଼ିତାଙ୍କ ପବିତ୍ରତା ଲାଗି ଆମିଷ ଭୋଜି ଦାବି

ଭୋପାଳ,୧୬ା୬ : କଙ୍ଗାରୁ କୋର୍ଟ ବା ଖାପ୍‌ ପଞ୍ଚାୟତର କୌଣସି ଆଇନଗତ ବୈଧତା ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ଏହାସତ୍ତ୍ୱେ କଙ୍ଗାରୁ କୋର୍ଟର ବର୍ବରତା ଓ ଏକତରଫା ନିଷ୍ପତ୍ତି ଲୋକଙ୍କୁ ଅଡ଼ୁଆରେ ପକାଉଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ରାଜଗଡ଼ ଜିଲାରେ। ରାଜଗଡ଼ର ଏକ ପଞ୍ଚାୟତରେ ବଳାତ୍କାରର ଶିକାର ହୋଇଥିବା ଜଣେ ନାବାଳିକା ପରିବାରକୁ ଆମିଷ ଭୋଜି ଲାଗି ନିର୍ଦ୍ଦେଶ ଦିଆଯାଇଛି। ଭୋଜି ନ ଦେଲେ ତାଙ୍କ ପରିବାରକୁ ଗ୍ରାମରୁ ବାସନ୍ଦ କରାଯିବ ବୋଲି ପଞ୍ଚାୟତ ନିଷ୍ପତ୍ତି ଶୁଣାଇଛି। ପଞ୍ଚାୟତରେ କଙ୍ଗାରୁ କୋର୍ଟ ବସି ଗ୍ରାମବାସୀଙ୍କୁ ଆମିଷ ଭୋଜି ଦେଲେ ପୀଡ଼ିତାଙ୍କ ପବିତ୍ରତା ଫେରି ଆସିପାରିବ ବୋଲି କୁହାଯାଇଛି। ଏହାପରେ ପୀଡ଼ିତାଙ୍କ ବାପା ପୋଲିସରେ ଅଭିଯୋଗ କରିଥିଲେ। ଘଟଣାଟି ଗତ ଜାନୁୟାରୀ ମାସର। ଗ୍ରାମର ଜଣେ ଯୁବକ ଉକ୍ତ ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ଜେଲ୍‌ ଯାଇଥିଲେ। କିନ୍ତୁ ପୀଡ଼ିତାଙ୍କ ପରିବାରର ଦୁଃଖ ଯାଇ ନ ଥିଲା। ଗତ ଏପ୍ରିଲ ୪ ତାରିଖରେ ଏନେଇ ପଞ୍ଚାୟତ ବସି ପୀଡ଼ିତା ପରିବାରକୁ ଗ୍ରାମରୁ ବାସନ୍ଦ କରାଯାଇଥିଲା। ଯଦି ପୀଡ଼ିତାଙ୍କ ବାପା ସମସ୍ତ ଗ୍ରାମବାସୀଙ୍କୁ ଆମିଷ ଭୋଜି ଖାଇବାକୁ ଦେବେ, ତେବେ ଉକ୍ତ ପରିବାରକୁ କ୍ଷମା କରାଯିବ ଓ ପୀଡ଼ିତାଙ୍କ ପବିତ୍ରତା ଫେରିଆସିବ ବୋଲି ପଞ୍ଚାୟତ ନିର୍ଦ୍ଦେଶ ଦେଇଥିଲା। ଏବେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଥିବା ପ୍ରକାଶ।

Share